ଆରୁଷି ହତ୍ୟା ମାମଲା : ତଲଓ୍ଵାର ଦମ୍ପତି ଦୋଷମୁକ୍ତ

ଆହ୍ଲାବାଦ : ବହୁଚର୍ଚିତ ଆରୁଷି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆରୁଷିଙ୍କ ପିତା-ମାତା ରାଜେଶ ଓ ନୂପୁର ତଲଓ୍ଵାରଙ୍କୁ ଆହ୍ଲାବାଦ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ତଲଓ୍ଵାର ଦଂପତି ବିରୋଧରେ ଗ୍ରହଣଯୋଗ୍ୟ ପ୍ରମାଣ ଦାଖଲ କରିବାରେ ସିବିଆଇ ବିଫଳ ହୋଇଛି। ତେଣୁ ସେମାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ବିଚାରପତି ବିକେ ନାରାୟଣ ଏବଂ ଏକେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏହି ହତ୍ୟା ମାମଲାର ଯାଞ୍ଚ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାରେ ସିବିଆଇ ସକ୍ଷମ ହୋଇନାହିଁ। ପିତା-ମାତା ଝିଅ ଆରୁଷିକୁ ହତ୍ୟା କରିଥିବା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ। ଏଭଳି ସ୍ଥିତିରେ ତଲଓ୍ଵାର ଦମ୍ପତିଙ୍କୁ ଦୋଷୀ ବିବେଚିତ କରାଯାଇପାରିବ ନାହିଁ। ସିବିଆଇ ଯେଉଁ ପ୍ରମାଣ ଦାଖଲ କରିଛି ତାହା ସନ୍ଦେହର ଊର୍ଦ୍ଧ୍ୱରେ ନୁହେଁ। ଦୁର୍ବଳ ପ୍ରମାଣ ଆଧାରରେ ସିବିଆଇ ଅଦାଲତ ତଲଓ୍ଵାର ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଉପଯୁକ୍ତ ପ୍ରମାଣ ନଥିଲେ ସୁପ୍ରିମ୍‌ କୋର୍ଟ ମଧ୍ୟ ଏଭଳି କଠୋର ଦଣ୍ଡ ଦିଅନ୍ତି ନାହିଁ ବୋଲି କୋର୍ଟ କହିଛନ୍ତି।

ଜେଲ୍‌ରେ ବନ୍ଦୀ ଥିବା ତଲଓ୍ଵାର ଦମ୍ପତି ଭିଡିଓ କନ୍‌ଫରେନ୍‌୍‌ସିଂ ମାଧ୍ୟମରେ ରାୟ ଶୁଣିବା ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଗାଜିଆବାଦ ଜେଲ୍‌ରେ ବନ୍ଦୀ ଥିବା ରାଜେଶ ଏବଂ ନୂପୁରୁ ତଲଓ୍ଵାରଙ୍କୁ ଆସନ୍ତାକାଲି ଖଲାସ କରାଯିବ ବୋଲି ଜଣାପଡ଼ିଛି।

ଦନ୍ତ ଚିକିତ୍ସକ ଦମ୍ପତି ରାଜେଶ ଓ ନୂପୁରଙ୍କୁ ସେମାନଙ୍କ ଏକମାତ୍ର ସନ୍ତାନ ଆରୁଷି ହତ୍ୟା ମାମଲାରେ ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦୧୩ ନଭେମ୍ବର ୨୬ ତାରିଖରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନୋଏଡ଼ାରେ ଘଟିଥିବା ଏହି ଡବଲ ମର୍ଡର ମାମଲାର ଯାଞ୍ଚ ପ୍ରଥମେ ପୁଲିସ ଏବଂ ପରେ ସିବିଆଇର ୨ଟି ଟିମ୍‌ କରିଥିଲେ। ୧୬ ମେ ୨୦୦୮ରେ ଆରୁଷିକୁ ଗଳକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଘରୋଇ ସହାୟକ ହେମରାଜ ଆରୁଷିକୁ ହତ୍ୟା କରିଥିବା ସନ୍ଦେହ ହୋଇଥିଲା। ତେବେ ଦୁଇଦିନ ପରେ ଘରର ଛାତରୁ ହେମରାଜର ଶବ ଉଦ୍ଧାର ହେବାପରେ ତଦନ୍ତର ଦିଗ ବଦଳି ଯାଇଥିଲା। ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ଉଭୟ ଆରୁଷି ଏବଂ ହେମରାଜଙ୍କୁ ତଲଓ୍ଵାର ଦଂପତି ହତ୍ୟା କରିଥିଲେ ବୋଲି ସିବିଆଇ ତଦନ୍ତ ରିପୋର୍ଟ ଦେଇଥିଲା। ସିବଆଇ ତଦନ୍ତ ଆଧାରରେ ଗାଜିଆବାଦ ସିବିଆଇ ଅଦାଲତ ତଲଓ୍ଵାର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ହାଇକୋର୍ଟ ଏହି ରାୟକୁ ଖାରଜ କରିଦେଇଛନ୍ତି।

ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୂପୁର ତଲଓ୍ଵାରଙ୍କ ପିତା ବି.ଜି. ଚିତ୍‌ନିସ୍‌ କହିଛନ୍ତି ଯେ ନ୍ୟାୟପାଳିକା ପୂର୍ବ ତ୍ରୁଟିକୁ ସଂଶୋଧନ କରିଥିବାରୁ ଆମକୁ ନ୍ୟାୟ ମିଳିଛି। ଝିଅକୁ ଜେଲ୍‌ରେ ଦେଖିବା ଅତ୍ୟନ୍ତ ପୀଡ଼ାଦାୟକ ଥିଲା। ନ୍ୟାୟପାଳିକା ଏହି ଦୁଃଖର ଅବସାନ ଘଟାଇଥିବାରୁ ଆମେ କୃତଜ୍ଞ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର