ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ, ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ଜଟିଳ ହୋଇଛି। ତେଣୁ ତାଙ୍କୁ ଆଜି ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସ ହସପିଟାଲରେ ଭର୍ତ୍ତି କରଯାଇଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଜପେୟୀଙ୍କୁ ରୁଟିନ ଚେକ୍‌ଅପ୍‌ ପାଇଁ ଏମ୍‌ସରେ ଭର୍ତ୍ତି କରାଯାଇଛି। ୨୦୦୯ ମସିହାରୁ ହ୍ଵ୍ଵିଲ ଚେୟାରେ ଥିବା ବାଜପେୟୀଙ୍କର ରୁଟିନ ଚେକ୍‌ ଅପ୍‌ ତାଙ୍କ ବାସଭବନରେ କରାଯାଉଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଘରେ ଆଉ ରୁଟିନ ଚେକ୍‌ ଅପ୍‌ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହେଉ ନ ଥିବାରୁ ତାଙ୍କୁ ଏମ୍‌ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିି। ଏମ୍‌ସରେ ଶ୍ରୀ ବାଜେପେୟୀଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା ଏମ୍‌ସ ଡାଇରେକ୍ଟର ରଣଦୀପ ଗୁଲରିଆଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ କରିବେ।

୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାର୍ହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ। ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିିତ୍ୱ ନେଇଛନ୍ତି। ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି। ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା।

ସମ୍ବନ୍ଧିତ ଖବର