ନିର୍ବାଚନ ଫଳାଫଳକୁ ମାନୁନାହାନ୍ତି ମାଳଦ୍ୱୀପର ପରାଜିତ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ

ମାଲେ : ଭାରତ ମହାସାଗରରେ ଥିବା ଦ୍ୱୀପ ଦେଶ ମାଳଦ୍ୱୀପରେ ଏବେ ବି ରାଜନୈତିକ ସଂକଟ ଶେଷ ହୋଇନାହିଁ । ନିର୍ବାଚନରେ ହାରିଥିଲେ ମଧ୍ୟ ବିବାଦୀୟ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ନିର୍ବାଚନ ଫଳାଫଳକୁ ମାନିବାକୁ  ପ୍ରସ୍ତୁତ ନାହାନ୍ତି । ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସେ ପୁଲିସରେ ଅଭିଯୋଗ କରିଛନ୍ତି । ଏ ଦିଗରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି ।

ଚୀନ ସମର୍ଥିତ ୟମିନ ନିଜର ବିଶ୍ୱସ୍ତ ପୁଲିସ ଅଧିକାରୀ, ଗୁଇନ୍ଦା ଅଧିକାରୀଙ୍କ ସହାୟତାରେ ନିର୍ବାଚନ କମିଶନ ଉପରେ ଚାପ ପ୍ରୟୋଗ କରି ସରକାରୀ ଭାବେ ଫଳାଫଳ ଘୋଷଣାକୁ ବିଳମ୍ବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମିଳିତ ବିରୋଧୀ ଦଳର ମୁଖପାତ୍ର ଅହମଦ ମାହଲୁଫ । ସୂଚନାଯୋଗ୍ୟ ଯେ ଭାରତ ମହାସାଗରୀୟ  କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ରାସ୍ତା ପରିଷ୍କାର ହୋଇଛି ।  ନିର୍ବାଚନ ଫଳାଫଳ ସରକାରୀଭାବେ ଆସନ୍ତା ରବିବାରଦିନ ଘୋଷଣା ହେବାକୁ ଥିବାବେଳେ  ପ୍ରାରମ୍ଭିକ ସୂଚନା ଅନୁଯାୟୀ  ବିରୋଧୀ ଦଳ ନେତା ଇବ୍ରାହିମ ମହମ୍ମଦ ସୋଲି ବିଜୟୀ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର