ମୁମ୍ବାଇରେ କୋଠା ଭୁଶୁଡ଼ି ୧୨ ମୃତ, ୪୦ରୁ ଅଧିକ ଦବି ରହିଛନ୍ତି

ମୁମ୍ବାଇ: ମୁମ୍ବାଇର ଡୋଙ୍ଗରୀରେ ଆଜି ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ରାତି ୯ଟା ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୪୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ ଏବେ ବି ୧୫ଟି ପରିବାର ଭଗ୍ନସ୍ତୂପ ତଳେ ଦବି ରହିଛନ୍ତି ଏବଂ ସେମାନଙ୍କୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠା ଶହେ ବର୍ଷ ପୁରୁଣା ଥିଲା ଏବଂ ୨୦୧୭ରେ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ର ସରକାର, ଏନ୍‌ଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଡୋଙ୍ଗରୀ ଅଂଚଳରେ ‘କେଶରବାଇ’ ନାମକ ଏହି ୪ ମହଲା କୋଠା ପ୍ରାୟ ଶହେ ବର୍ଷ ପୁରୁଣା ଥିଲା ବୋଲି ସ୍ଥାନୀୟ ଅଂଚଳବାସୀ କହିଛନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଅଚାନକ ଏହି କୋଠା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ଏବଂ ଏଥିରେ ଥିବା ସମସ୍ତ ପରିବାର ଭଗ୍ନାବଶେଷ ତଳେ ଦବି ଯାଇଥିଲେ। ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ଏନ୍‌ଡିଆର୍‌ଏଫ୍‌ ସାମିଲ ହୋଇଥିଲା। ଏହି କୋଠା ଏକ ସଂକୀର୍ଣ୍ଣ ଗଳି ଭିତରେ ଥିବାରୁ ଅଗ୍ନିଶମ ବିଭାଗର ଗାଡ଼ି ମଧ୍ୟ ଭିତରକୁ ପଶି ପାରିନଥିଲା। ଶଙ୍କରୀ ଗଳିରେ ଥିବା ଏହି କୋଠାର ତଳ ମହଲାରେ କେତେକ ଦୋକାନ ଚାଲିଥିଲା ଏବଂ ଉପର ୩ ମହଲାରେ ୧୫ଟି ପରିବାର ରହୁଥିଲେ। ଏହି କୋଠାର ପ୍ରାୟ ୫୦ ପ୍ରତିଶତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ଏବଂ ଏହା ଭୁଶୁଡ଼ି ପଡ଼ିବ ବୋଲି ବାରମ୍ବାର ଆଶଙ୍କା ପ୍ରକାଶ ପାଉଥିଲା। ଆଜି ଏହା ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ କ୍ଷୋଭ ଓ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଏହି କୋଠାକୁ କେବଳ ବିପଦସଙ୍କୁଳ ଘୋଷଣା କରି ବସି ରହିଥିଲେ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର