ଏସିଡ୍‌ ଆକ୍ରମଣ ପୀଡ଼ିତା କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ପାଇ ପାରିବେ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା, ଏସିଡ୍‌ ଆକ୍ରମଣ, ପୋଡ଼ାଜଳାରେ ଆହତମାନଙ୍କ ପାଇଁ ଥିବା ମେଡିକୋ-ଲିଗାଲ୍‌ ମାମଲାର କ୍ୟାସ୍‌ଲେସ୍‌ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। କେବଳ ରାଜଧାନୀରେ ଘଟିଥିବା ଏଭଳି ଘଟଣା ପାଇଁ ଏହି ଗାଇଡ୍‌ ଲାଇନ୍‌ ପ୍ରଯୁଜ୍ୟ ବେ।
ଦିଲ୍ଲୀରେ ଥିବା ପଞ୍ଜିକୃତ ନର୍ସିଙ୍ଗ୍‌ ହୋମ୍‌/ଘରୋଇ ହସ୍‌ପିଟାଲ୍‌ରେ ଏ ଭଳି ସୁବିଧା ମିଳିବ। ଚିକିତ୍ସା ଖର୍ଚ୍ଚ ଭରଣା ପାଇଁ ନର୍ସିଙ୍ଗ୍‌ ହୋମ୍‌/ଘରୋଇ ହସ୍‌ପିଟାଲ୍‌ମାନେ ଦିଲ୍ଲୀ ଆରୋଗ୍ୟ କୋଷ ସହ ଏକ ରାଜିନାମା ସ୍ୱାକ୍ଷର କରିବାକୁ ପଡ଼ିବ।

ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଟୁଇଟର୍‌ ଯୋଗେ ଶନିବାର ଦିନ ଘୋଷଣା କରିଛନ୍ତି ଯେ ଏଭଳି ମାମଲାରେ ସରକାର ଖର୍ଚ୍ଚ ବହନ କରିବେ। ଯାଞ୍ଚ ଏବଂ ଯୋଗ୍ୟତା ପାଇଁ ପୀଡ଼ିତମାନେ କୌଣସି କାଗଜପତ୍ର ଆଣିବେ ନାହିଁ। କେବଳ ଦୁଇଟି ବିଷୟ ବିଚାରକୁ ନିଆଯିବ- ଘଟଣା ଦିଲ୍ଲୀରେ ଘଟିଛି ଏବଂ ଦିଲ୍ଲୀ ପୁଲିସ ଅଧୀନସ୍ଥ ଅଞ୍ଚଳରେ ହିଁ ଘଟିଛି।

ଦିଲ୍ଲୀ ନର୍ସିଙ୍ଗ୍‌ ହୋମ୍‌ ରେଜିଷ୍ଟ୍ରେସନ୍‌ ଆକ୍ଟ୍‌ ୧୯୫୩ ଅଧୀନରେ ପଞ୍ଜିକୃତ କୌଣସି ନର୍ସିଙ୍ଗ୍‌ ହୋମ୍‌ କୌଣସି କାରଣ ଆଳରେ ଏ ଭଳି ରୋଗୀମାନଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ। ସେ ପ୍ରତିଷ୍ଠାନରେ ସର୍ବନିମ୍ନ ଅର୍ଥନୈତିକ ବର୍ଗରେ ଜଣେ ଅର୍ନ୍ତଃବିଭାଗୀୟ ରୋଗୀକୁ ମିଳୁଥିବା ସମସ୍ତ ସୁବିଧା ପାଇବାକୁ ଏମାନେ ଯୋଗ୍ୟ ହେବେ ଏବଂ ତାଙ୍କୁ କୌଣସି ଅର୍ଥ ପୈଠ କରିବାକୁ କୁହାଯିବ ନାହିଁ। ଏଥିରୁ କୌଣସି କଥା ଉଲ୍ଲଂଘନ ହୋଇଥିବାର ସୂଚନା ମିଳିଲେ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗାଇଡ୍‌ ଲାଇନ୍‌ ଅନୁସାରେ, ପୀଡ଼ିତଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ଫାଷ୍ଟ୍‍ଏଡ୍‌ ଚିକିତ୍ସା ଯୋଗାଇ ଦେବା ପରେ ଡାକ୍ତର ସ୍ଥାନୀୟ ଥାନାକୁ ସୂଚନା ଦେବେ, କେସ୍‌ ସିଟ୍‌ରେ ଡେଲି ଡାଏରି ନମ୍ବର ଉଲ୍ଲେଖ କରିବେ ଓ ମେଡିକୋ-ଲିଗାଲ୍‌ କାଗଜପତ୍ର ପ୍ରସ୍ତୁତ କରିବେ। ରୋଗୀଙ୍କର ପୂର୍ଣ୍ଣ ବିବରଣୀ ଭରିବା ପାଇଁ ଏକ ଫର୍ମା ଯୋଗାଇ ଦିଆଯାଇଛି। ରୋଗୀ ପହଞ୍ଚିବାର ୬ ଘଣ୍ଟା ମଧ୍ୟରେ ତାହା ପୂରଣ କରି ଦିଆଯାଇଥିବା ଠିକଣାରେ ମେଲ୍‌ କରାଯିବା ଆବଶ୍ୟକ। ଏକ ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବରକୁ ମଧ୍ୟ ଏହାକୁ ମେସେଜ୍‌ କରିବାକୁ ପଡ଼ିବ।

ଚିକିତ୍ସା ପରେ ଡାକ୍ତରଖାନା ୧୦୦% ରିହାତି ଦର୍ଶା ଯାଇଥିବା ବିଲ୍‌ର ଏକ କପି, ଡିସ୍‌ଚାର୍ଜ ସମରି ପୀଡ଼ିତଙ୍କୁ ଦେଇ କ୍ୟାସ୍‌ଲେସ୍‌ ସାର୍ଟିଫିକେସନ୍‌ର ସହ ତା’ର ରସିଦ ରଖିବେ।

ସମ୍ବନ୍ଧିତ ଖବର