ଚାକିରି ପାଇଁ ହିନସ୍ତା ଏସିଡ୍‌ ଆକ୍ରମଣ ପୀଡ଼ିତା

ମୁହଁ ସାଜିଛି ବଇରି :ଚାକିରି ଦେବାକୁ ସମସ୍ତେ ନାରାଜ : ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି

ନୂଆଦିଲ୍ଲୀ: ଏସିଡ୍‌ ଆକ୍ରମଣ ଘଟଣା ପରେ ସବୁ ମହଲରୁ ସହାନୁଭୂତି ମିଳିଥିଲା। ଢେର ପୁରସ୍କାର ଓ ସମ୍ମାନ ବି ମିଳିଥିଲା। ଏସିଡ୍‌ ଆକ୍ରମଣ ଯୋଗୁ ହରାଇଥିବା ଆତ୍ମବିଶ୍ୱାସ ପୁଣି ଫେରିଥିଲା। ବଞ୍ଚିବା ପାଇଁ ନୂଆ ଆଶା ସଞ୍ଚରିଥିଲା। କିନ୍ତୁ ଏ ସବୁ ସ୍ୱଳ୍ପ ସମୟ ପାଇଁ ଥିଲା। ୨୦୦୫ରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲ (୩୦) ଏବେ ଜୀବନର ଲମ୍ବା ରାସ୍ତାରେ ଏକାକୀ ହୋଇପଡ଼ିଛନ୍ତି। ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି। ନିଜ ଆତ୍ମବିଶ୍ୱାସକୁ ପୁଣି ହରାଇବା ଭଳି ସ୍ଥିତିକୁ ଚାଲିଆସିଛନ୍ତି। ତେବେ କାହାର ଦୟା ଉପରେ ସେ ନିର୍ଭର କରିବାକୁ ଚାହାନ୍ତିନି। କେବଳ ଚାକିରି ଖଣ୍ଡେ ପାଇ ନିଜ ଗୋଡ଼ରେ ଠିଆ ହେବାକୁ ଚାହାନ୍ତି। କିନ୍ତୁ ଚାକିରି ଏବେ ତାଙ୍କ ପାଇଁ ସାତ ସପନ। ଏସିଡ୍‌ ଆକ୍ରମଣ ଯୋଗୁ ମୁହଁ ବିକୃତ ହୋଇଯିବାରୁ ତାଙ୍କୁ ଚାକିରି ଦେବାକୁ ସମସ୍ତେ ନାରାଜ। ଏବେ ବେକାରି ଥିବା ଲକ୍ଷ୍ମୀ ଖୁବ୍‌ଶୀଘ୍ର ବାସହରା ହେବାକୁ ଯାଉଛନ୍ତି।
ଦିଲ୍ଲୀର ଲକ୍ଷ୍ମୀନଗରରେ ରହୁଥିବା ଲକ୍ଷ୍ମୀ ଘରଭଡ଼ା ଦେବା ପାଇଁ ସଂପୂର୍ଣ୍ଣ ଅସମର୍ଥ। ଘରଭଡ଼ା ଦେଇନପାରିଲେ ତାଙ୍କୁ ଶୀଘ୍ର ଘର ଛାଡ଼ିବାକୁ ପଡ଼ିବ। ଏ ନେଇ ଲକ୍ଷ୍ମୀ କୁହନ୍ତି, ଏସିଡ୍‌ ଆକ୍ରମଣ ପରେ ଅନେକ ପୁରସ୍କାର ମିଳିଥିଲା। ର‍୍ୟାମ୍ପ୍‌ ସୋ’ରେ ବି ଚାଲିବାକୁ ସୁଯୋଗ ମିଳିଥିଲା। ଅନେକ ବଡ଼ କାର୍ଯ୍ୟକ୍ରମରେ କହିବାକୁ ସୁଯୋଗ ଦିଆଯାଇଥିଲା। ଏଥିପାଇଁ ପାରିଶ୍ରମିକ ବି ମିଳିଥିଲା। ଏସବୁ ପାଇ ମୁଁ ଖୁସିରେ ଥିବି ବୋଲି ଅନେକେ ଭାବୁଥିବେ! କିନ୍ତୁ ଏବେ ମୁଁ ଅସହାୟ। ମୌଳିକ ଆବଶ୍ୟକତା ପୂରଣ ପାଇଁ ବି ମୋ ନିକଟରେ ସମ୍ବଳ ନାହିଁ। ବର୍ଷେ ହେଲା ଚାକିରି ହରାଇ ବସିଛି। ଯେଉଁଠାକୁ ଚାକିରି ପାଇଁ ଗଲେ ଖାଲି ହାତରେ ଫେରିବାକୁ ପଡୁଛି।
୪ ବର୍ଷ ତଳେ ବେଶ୍‌ ହସଖୁସିରେ ଚାଲିଥିଲା ସଂସାର। ସେ ଓ ତାଙ୍କ ସାଥୀ ଆଲୋକ ଦୀକ୍ଷିତ୍‌ (ଷ୍ଟପ୍‌ ଏସିଡ୍‌ ଆଟାକ୍‌ ଅଭିଯାନର ପ୍ରତିଷ୍ଠାତା)ଙ୍କ ଜୀବନରେ ନୂଆ ଅତିଥି ଆସିବାର ଥିଲା। ଏହାକୁ ନେଇ ସେମାନଙ୍କ ଜୀବନରେ ଖୁସିର ମାହୋଲ ଥିଲା। ଏହାପରେ ଲକ୍ଷ୍ମୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ପରେ ପରେ ମତାନ୍ତର ଯୋଗୁ ଦମ୍ପତି ଅଲଗା ହୋଇଯାଇଥିଲେ। ୩ ବର୍ଷ ତଳେ ଏ ଘଟଣା ଘଟିଥିଲା। ଏକ ଏନ୍‌ଜିଓର ନିର୍ଦ୍ଦେଶିକା ଥିବାରୁ ମାସକୁ ୧୦,୦୦୦ ଟଙ୍କା ପାଉଥିଲେ। କିନ୍ତୁ ଆଲୋକ ଦୀକ୍ଷିତଙ୍କ ସହିତ ମନୋମାଳିନ୍ୟ ଯୋଗୁ ଗତବର୍ଷ ସେ ଚାକିରି ଛାଡ଼ିଦେଇଥିଲେ। ଲକ୍ଷ୍ମୀ ସଞ୍ଚୟ କରିଥିବା ଟଙ୍କା ସବୁ ଶେଷ ହୋଇଯାଇଛି। ଦଶମ ପାସ୍‌ କରିଥିବା ଲକ୍ଷ୍ମୀ ବିୟୁଟି ପାର୍ଲର୍‌ କାମ ଜାଣନ୍ତି। କିନ୍ତୁ ଯୁଆଡ଼େ ବି ଚାକିରି ପାଇଁ ଗଲେ କେହି ତାଙ୍କୁ ରଖୁନାହାନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀଙ୍କୁ ସରକାର ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିଲେ। କିନ୍ତୁ ଏହା ସର୍ଜରିରେ ଖର୍ଚ୍ଚ ହୋଇଯାଇଛି। ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କ ଠାରୁ ସାମ୍ମାନିତ ହୋଇଥିବା ଲକ୍ଷ୍ମୀ କୁହନ୍ତି, ବିଭିନ୍ନ ଦିଗରୁ ଯେଉଁ ଆର୍ଥିକ ସହାୟତା ମିଳିଥିଲା, ତାହା ଯଥେଷ୍ଟ ନଥିଲା।

ସମ୍ବନ୍ଧିତ ଖବର