ଥାନାରେ ନାଚିଥିବା ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆସାନ୍‌ସୋଲ୍‌: ଦୁଇ ଜଣ ପୁଲିସଙ୍କୁ ରବିବାର ଦିନ ବେଙ୍ଗଲ୍‌ ପୋଲିସ୍‌ ନିଲମ୍ବିତ କରିଛି। ଜଣେ ଡିୟୁଟିରେ ଥାଇ ବଲିଉଡ୍‌ର ଏକ ଗୀତର ତାଳରେ ନାଚୁଥିଲେ ଏବଂ ଆର ଜଣକ ସେ ଦୃଶ୍ୟକୁ ରେକର୍ଡ କରୁଥିଲେ। ସାମାଜିକ ଗଣମାଧ୍ୟମରେ ସେ ଭିଡିଓ ଭାଇରାଲ୍‌ ହେବାରୁ କଥାଟି ବାହାରେ ଜଣାପଡ଼ିଥିଲା। ଏଏସ୍‌ଆଇ କୃଷ୍ଣ ସଦନ ମଣ୍ଡଳ ଦିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥିବା ଦୃଶ୍ୟ ଭିଡିଓରେ ରହିଛି।

ହରିପୁର ଥାନାରେ ମଣ୍ଡଳ ନୃତ୍ୟ କରୁଥିବାର ଦୃଶ୍ୟ ରେକର୍ଡ କରାଯାଇଛି। ସେ ଗୋଡ଼ ହଲାଇ ନାଚୁଥିବାବେଳେ ଅଳ୍ପ କେତେକ ମହିଳା ଅଧିକାରୀ ହସି ହସି ତାଳି ମାରୁଛନ୍ତି। ମିନିଟ୍‌କିଆ ଭିଡିଓ କ୍ଲିପ୍‌ଟି ସାମାଜିକ ଗଣମାଧ୍ୟମରେ ଖୁବ୍‌ ଶୀଘ୍ର ଭାଇରାଲ୍‌ ହୋଇଯାଇଥିଲା।

ଆସାନ୍‌ସୋଲ୍‌ ଦୁର୍ଗାପୁର ପୁଲିସ କମିସନ୍‌ରେଟ୍‌ ଏହାର ତଦନ୍ତ କରାଯିବା ପାଇଁ ଆଦେଶ ଦେଇଛନ୍ତି। ୧୯୪୩ ମସିହା ବେଙ୍ଗଲ୍‌ ପୋଲିସ୍‌ ରେଗୁଲେସନ୍‌ସ୍‌ ଦ୍ୱାରା ବେଙ୍ଗଲ୍‌ ପୋଲିସ୍‌ର ଆଚରଣ ନିର୍ଦ୍ଧାରିତ ହୋଇଛି। ତାହା ଛଡ଼ା, ପ୍ରତ୍ୟେକ ସରକାରୀ କର୍ମଚାରୀ ୧୯୬୦ ମସିହାର ଗଭର୍ଣ୍ଣମେଣ୍ଟ୍‌ ସର୍ଭାଣ୍ଟ୍‌ସ୍‌ କଣ୍ଡକ୍ଟ୍‌ ରୁଲ୍‌ସ୍‌ରେ ପରିଚାଳିତ ହେବା କଥା। ଏ ଭଳି ଘଟଣା ଲୋକେ ଦେଖିଲେ ସର୍ବସାଧାରଣ ଦୃଷ୍ଟିରେ ପୁଲିସର ଭାବମୂର୍ତ୍ତି ନିମ୍ନଗାମୀ ହୋଇ ଯିବ। ଏଭଳି ଆଚରଣ ଯୋଗୁଁ ପୁଲିସର ନିଷ୍ଠା ଓ ଶୃଙ୍ଖଳା ମଧ୍ୟ ନଷ୍ଟ ହୋଇଯିବ।

ମାମଲାର ତଦନ୍ତ କରିବାକୁ ଆସାନସୋଲ୍‌-ଦୁର୍ଗାପୁର କମିସନ୍‌ରେଟ୍‌ର କମିସନର୍‌ ଲକ୍ଷ୍ମୀନାରାୟଣ ମୀନା ଡିସି ଅରିନ୍ଦମ ଦତ୍ତ ଚୌଧୁରୀଙ୍କୁ ନିର୍ଦେଶ ଦେଇଛନ୍ତି। କାହିଁକି ଏ ଭଳି ଆଚରଣ କଲେ ବୋଲି ସମ୍ପୃକ୍ତ କର୍ମଚାରୀମାନଙ୍କୁ ପଚରାଯିବା ସହ ସେତେବେଳେ ଥାନାରେ କୌଣସି ବାହାର ଲୋକ ଥିଲେ କି ନାହିଁ, ସେ ବିଷୟରେ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର