ମୋଦିଙ୍କୁ କଟାକ୍ଷ କରି କଂଗ୍ରେସ ଅପ୍‌ଲୋଡ୍‌ କରିଥିବା ଭିଡିଓକୁ ନେଇ ଆପତ୍ତି ଉଠାଇଲେ ଅଭିନେତା ଆର୍‌.ମାଧବନ, କହିଲେ; ଚୀନ୍‌ ଆଗରେ ଦେଶର ମୁଣ୍ଡ ତଳକୁ କରୁଛି କଂଗ୍ରେସ

ମୁମ୍ବାଇ : ଟୁଇଟ୍‌ରରେ କଂଗ୍ରେସ ତରଫରୁ ସେୟାର କରାଯାଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ପରସ୍ପର ସହ କଥା ହେଉଥିବାର ଦେଖା ଯାଇଛି । ଭିଡିଓଟି ଅସଲି ଥିବା ବେଳେ ତାକୁ ଏଡିଟ୍‌ କରି ଯେଉଁ ସବୁ କଥା ଲେଖା ଯାଇଛି, ତାକୁ ନେଇ ଆପତ୍ତି ଉଠାଇଛନ୍ତି ବଲିଉଡ୍‌ ଅଭିନେତା ଆର୍‌.ମାଧବନ୍ । କଂଗ୍ରେସ ଏପରି କରି ଦେଶର ମୁଣ୍ଡକୁ ତଳକୁ କରିଛି ବୋଲି ଆର୍‌.ମାଧବନ୍  ନିଜର ମତ ରଖିଛନ୍ତି । କଂଗ୍ରେସ କରିଥିବା ଟୁଇଟ୍‌ରେ ରି-ଟୁଇଟ୍‌ କରି ସେ ଲେଖିଛନ୍ତି, ଏଭଳି କରିବା ସମ୍ପୂର୍ଣ୍ଣ ଭୁଲ । ରାଜନୈତିକ ପ୍ରତିଦ୍ୱନ୍ଦିତା ଥିଲେ ମଧ୍ୟ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ । ଏଭଳି ଭିଡିଓ ସେୟାର କରି ଚୀନ୍‌ ଆଗରେ ଭାରତ ମୁଣ୍ଡକୁ ନୂଆଁଇ ଦେଇଛ । ଏହି ଟୁଇଟ୍‌ର ଆକାଉଣ୍ଟରୁ ଏଭଳି ଆଶା କରାଯାଇ ନଥିଲା।  ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ୍‌ କରିଛନ୍ତି ଆର୍‌.ମାଧବନ ।

କଂଗ୍ରେସ ଟୁଇଟ୍‌ କରିଥିବା ୫୫ସେକେଣ୍ଡର ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦି ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ପ୍ରଥମେ ଡ଼ରୁଥିବା ଦେଖାଇଥିବା ବେଳେ ପରେ ସେ ଜିନ୍‌ପିଙ୍ଗ୍‌ଙ୍କ ବହୁତ ବଡ଼ ପ୍ରଶଂସକ ବୋଲି କହୁଛନ୍ତି । ଏହା ପରେ ଆପଣଙ୍କର ପ୍ରତିମୂର୍ତ୍ତି ଏଠାରେ ତିଆରି କରିବା ଦରକାର ବୋଲି ମୋଦି ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ କହୁଥିବା ଦେଖା ଯାଇଛି । ଏହା ଶୁଣି ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଯାହା କହିଲେ ବି ମୁଁ ଡୋକଲାମ ଦେବି ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି । ଏହା ପରେ ମୋଦିଜୀ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ହସ୍ତାକ୍ଷର ଦେଖି ପ୍ରଶଂସା କରିବା ପରେ ଜିନ୍‌ପିଙ୍ଗ୍‌ ତାଙ୍କୁ କ’ଣ ଦରକାର ବୋଲି ପଚାରୁଛନ୍ତି । ଏହା ଶୁଣି ମୋଦିଜୀ ମାସୁଦଙ୍କୁ ବ୍ଲାକ୍‌ ଲିଷ୍ଟ କରିଦିଅ ବୋଲି କହୁଥିବା ଦେଖା ଯାଇଛି । କିନ୍ତୁ ମୋଦିଜୀଙ୍କ ଏ ପ୍ରସ୍ତାବକୁ ଆପଣାଇବା ପାଇଁ ମଧ୍ୟ ଜିନ୍‌ପିଙ୍ଗ୍‌ ମନା କରି ଦେଉଛନ୍ତି । ଭିଡିଓରେ କଂଗ୍ରେସ ବାରମ୍ବାର ମୋଦିଜୀଙ୍କୁ ଅପମାନିତ କରୁଥିବା ଦେଖା ଯାଇଛି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଆର୍‌.ମାଧବନ ।

ସମ୍ବନ୍ଧିତ ଖବର