ରେଳବାଇର କନିଷ୍ଠ କର୍ମଚାରୀଙ୍କୁ ‘ତୁ’ ନୁହେଁ ‘ଆପଣ’ ବୋଲି ସମ୍ବୋଧନ କରନ୍ତୁ: ଅଶ୍ୱିନୀ ଲୋହାନି

ନୂଆଦିଲ୍ଲୀ: ଜାତୀୟ ପରିବହନ ସଂସ୍ଥାନ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଥିବା କନିଷ୍ଠ କର୍ମଚାରୀମାନଙ୍କ ଆତ୍ମମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସେମାନଙ୍କୁ ‘ତୁ’ କିଂବା ‘ତୁମେ’ ନୁହେଁ ‘ଆପଣ’ ବୋଲି ସମ୍ବୋଧନ କରିବାକୁ ରେଳବାଇ ବୋର୍ଡ ଚେୟାର୍‌ମ୍ୟାନ୍‌ ଅଶ୍ୱିନୀ ଲୋହାନି ବରିଷ୍ଠ ରେଳବାଇ ଅଧିକାରୀମାନଙ୍କୁ କହିଛନ୍ତି।

ଗତ ସପ୍ତାହରେ ଏକ ନିର୍ଦେଶାବଳୀ ଲୋହାନି ଏ ଭଳି ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି: ଅନେକ ସୁପର୍‌ଭାଇଜର୍‌ ଏବଂ କର୍ମଚାରୀମାନେ ମତେ କହିଛନ୍ତି ଯେ ଅଧିକାରୀମାନେ ତାଙ୍କୁ ‘ଆପଣ’ ନୁହେଁ ‘ତୁ’ ବା ‘ତୁମେ’ ବୋଲି ସମ୍ବୋଧନ କରୁଛନ୍ତି। ଏହା ଗୋଟାଏ ଅସମ୍ମାନଜନକ ଆଚରଣ। ଅଧସ୍ତନମାନଙ୍କ ସହ କାରବାର କରିବା ବେଳେ ଆମ ବ୍ୟବହାର ସଂସ୍କୃତିସମ୍ପନ୍ନ ହେବା ଦରକାର।

ନିଜ ବାର୍ତ୍ତାରେ ସେ ସମସ୍ତ ଡିଭିଜ୍‌ନାଲ୍‌ ମ୍ୟାନେଜର୍‌, ଜେନେରାଲ୍‌ ମ୍ୟାନେଜର୍‌ ଏବଂ ବିଭିନ୍ନ ବିଭାଗର ପ୍ରିନ୍‌ସିପାଲ୍‌ ହେଡ୍‌ମାନଙ୍କୁ କହିଛନ୍ତି: ଚାଲନ୍ତୁ ଗୋଟାଏ ସୁସଂସ୍କୃତି ସମ୍ପନ୍ନ ସଂସ୍ଥାନ ଗଢ଼ି ନିଷ୍କଳଙ୍କ ଆଚାର ବ୍ୟବହାର କରିବା। ଏ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ଯୋଗାଇ ଦିଅନ୍ତୁ।

ଭାରତୀୟ ରେଳବାଇରୁ ଭିଆଇପି ସଂସ୍କୃତି ହ୍ରାସ କରିବାକୁ ଏହା ହେଉଛି ଲୋହାନିଙ୍କର ସଦ୍ୟତମ ପଦକ୍ଷେପ।

ପୂର୍ବରୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ଫୁଲତୋଡ଼ା ଆଦି ଦେଇ ସ୍ୱାଗତ କରିବା ପରମ୍ପରାକୁ ନିଷିଦ୍ଧ କରିଥିଲେ।

ସମ୍ବନ୍ଧିତ ଖବର