ଆଧାର ସଂଯୋଗ ମାମଲା: ନଭେମ୍ବରରେ ଗଠନ ହେବ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ

ନୂଆଦିଲ୍ଲୀ: ସୋମବାର ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ନଭେମ୍ବର ଶେଷ ବେଳକୁ ୫ ଜଣ ବିଚାରପତିଙ୍କୁ ନେଇ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ। ଏହି ଖଣ୍ଡପୀଠ ସରକାରଙ୍କର ଆଧାର ସଂଯୋଗ ବାଧ୍ୟତାମୂଳକ ନିଷ୍ପତ୍ତି ନେଇ ଦାୟର ହୋଇଥିବା ମାମଲାଗୁଡ଼ିକର ବିଚାର କରିବେ । ଉଲ୍ଲେଖଯୋଗ୍ୟ, ୫୦ରୁ ଊର୍ଧ୍ୱ କ୍ଷେତ୍ରରେ ଆଧାରକାର୍ଡ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଘୋଷଣା କରିଛନ୍ତି।

ସୁପ୍ରିମକାର୍ଟର ମୁଖ୍ୟବିଚାରପତି ଦୀପକ ମିଶ୍ର ଆଧାର ସଂପର୍କିତ ବହୁ ସଂଖ୍ୟକ ମାମଲା ଅଦାଲତଙ୍କ ବିଚାରାଧୀନ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ମାମଲାରେ ଆଟୋର୍ନି ଜେନେରାଲ କେ.କେ.ଭେନୁଗୋପାଲ କୋର୍ଟଙ୍କୁ ଜଣାଇଥିଲେ କି ଯେଉଁ ନାଗରିକମାନେ ପୂର୍ବରୁ ଅଧାର ସଂଯୋଗ କରିସାରିଛନ୍ତି ସେମାନଙ୍କ ପାଇଁ ଆଧାର ସଂଯୋଗ ତାରିଖ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ଫଳପ୍ରଦ ହେଲା ନାହିଁ। ଉଲ୍ଲେଖଯୋଗ୍ୟ, ଗତ ସସ୍ତାହରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଆଧାର ସଂଯୋଗର ଶେଷ ତାରିଖ ୨୦୧୮ ମସିହା ମାର୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି, କେବଳ ସେମାନଙ୍କ ପାଇଁ ଯେଉଁମାନେ ଏଯାବତ୍‌ ଆଧାର କାର୍ଡ ପାଇପାରି ନାହାନ୍ତି।

ସୋମବାର ଆଟୋର୍ଣ୍ଣି ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ଏ ସଂପର୍କିତ ଶୁଣାଣି ମାର୍ଚରେ ହେବ। ଏ ସଂପର୍କରେ ଆଡଭୋକେଟ ଗୋପାଲ ସୁବ୍ରମଣ୍ୟମ କୋର୍ଟଙ୍କୁ କହିଛନ୍ତି ଯେ ଯଦି ଶୁଣାଣି ଘୁଞ୍ଚେ ତେବେ ସରକାର ଆଧାର ବାଧ୍ୟତାମୂଳକ ନିୟମ ଲାଗୁ କରିପାରିବେ ନାହିଁ।

ନିକଟରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବାରୁ ସୁପ୍ରିମ୍‌କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ସନା କରିଥିଲେ।

ସମ୍ବନ୍ଧିତ ଖବର