କାରଗିଲ ସହିଦଙ୍କ ପତ୍ନୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ: ଆଧାର ଜଟିଳତା

ନୂଆଦିଲ୍ଲୀ: ଆଧାର କାର୍ଡ ପାଇଁ ଆଜି ହରିୟାଣାର ସୋନିପତରେ ଜଣେ କାରଗିଲ ସହିଦଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯିବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ମୃତ ମହିଳାଙ୍କ ପୁଅ ପବନ କୁମାରଙ୍କ କହିବା ଅନୁଯାୟୀ ସେ ତାଙ୍କ ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇ ଯାଇଥିଲେ। ମା’ଙ୍କୁ ହସ୍ପିଟାଲ୍‌ରେ ଆଡମିଟ୍‌ କରିବା ପୂର୍ବରୁ ତାଙ୍କ ଆଧାର କାର୍ଡ ମଗାଯାଇଥିଲା। ପବନ କୁମାର ମା’ଙ୍କ ଆଧାର କାର୍ଡର ଇ-କପି ଦେଖାଇଥିଲେ, କିନ୍ତୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମୂଳ କପି ମାଗିଥିଲେ। ପବନ କୁମାର ଘଣ୍ଟାଏ ମଧ୍ୟରେ ମା’ଙ୍କ ଆଧାର କାର୍ଡ ଆଣିଦେବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିବା ସହ ମା’ଙ୍କ ଚିକିତ୍ସା ପାଇଁ କାକୁତି ମିନତି ହୋଇଥିଲେ ସୁଦ୍ଧା ତାଙ୍କ କଥାକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ମା’ଙ୍କର ମୃତ୍ୟୁ ହୋଇଯାଇଛି ବୋଲି ପବନ କୁମାର ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କାରଗିଲ ସହିଦ ବୈଜୟନ୍ତ ଥାପରଙ୍କ ବାପା ଭିଏନ ଥାପର ତୀବ୍ର ନିନ୍ଦା କରିଛନ୍ତି । ଏଭଳି ଘଟଣା ସେନାବାହିନୀର ନୈତିକ ମନୋବଳ ଭାଙ୍ଗିଦେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲ୍‌ ମ୍ୟାନେଜମେଣ୍ଟ୍‌ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛି ଚିକିତ୍ସାପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇ ନାହିଁ କି କୌଣସି ରୋଗୀଙ୍କ କ୍ଷେତ୍ରରେ ଏହା ଦାବି କରାଯାଉନାହିଁ। ଏହା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଥିବା ବେଳେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର