୬ ଥର ଗିରଫ ହୋଇଥିଲା ଆଦିଲ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ଆକ୍ରମଣରେ ସାମିଲ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ମହମ୍ମଦ ଡାରକୁ ସେପ୍‌ଟେମ୍ବର ୨୦୧୬ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ୬ ଥର ପଥର ଆକ୍ରମଣ ଏବଂ ଲସ୍କର ଏ ତୋଏବା ସଂଗଠନକୁ ସହାୟତା ମାମଲାରେ ପୁଲିସ ଗିରଫ କରିଥିଲା। ତେବେ ତାକୁ ପ୍ରତ୍ୟେକ ଥର କୌଣସି ବଳିଷ୍ଠ ପ୍ରମାଣ ଅଭାବରୁ ଛାଡ଼ି ଦିଆଯାଉଥିଲା ବୋଲି ଜଣାପଡ଼ିଛି। ପୁଲୱାମା ଜିଲ୍ଲାର ଗୁନ୍ଦିବାଗ୍‌ ଗ୍ରାମରେ ରହୁଥିବା ଆଦିଲକୁ ୬ ଥର ଗିରଫ କରାଯାଇଥିଲେ ମଧ୍ୟ ତା’କୁ କିଭଳି ଓ କେଉଁ ପରିସ୍ଥିତିରେ ଛଡ଼ା ଯାଉଥିଲା ସେ ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି । ତେବେ ତାକୁ ଛଡ଼ାଯିବା ପରେ ତା’ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇନଥିବାରୁ କଶ୍ମୀରରେ ପୁଲିସର ଢ଼ିଲା ନୀତି ଏବେ ପଦାରେ ପଡ଼ିଯାଇଛି। ଆଦିଲ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ଲୁଚିବାରେ ସାହାଯ୍ୟ କରୁଥିଲା ଏବଂ ସେନାର ଅପରେସନ ବେଳେ ପଥର ଆକ୍ରମଣରେ ସାମିଲ ହେଉଥିଲା। ସେନା ଉପରେ ଆକ୍ରମଣ ପାଇଁ ଅନ୍ୟ ଯୁବକଙ୍କୁ ମତାଇ ଏକଜୁଟ୍‌ କରିବା ଦାୟିତ୍ବରେ ମଧ୍ୟ ତାକୁ ଜୈସ ଆତଙ୍କବାଦୀ ସଂଗଠନ ନିୟୋଜିତ କରୁଥିଲା ବୋଲି ଜଣାପଡ଼ିଛି । ଉଭୟ ଜୈସ ଏବଂ ଲସ୍କର କମାଣ୍ଡରଙ୍କ ସହିତ ଲଗାତାର ସଂପର୍କରେ ରହୁଥିବା ଆଦିଲ ଗତବର୍ଷ ଜୈସ୍‌ରେ ସାମିଲ ହୋଇଥିଲା ଏବଂ କେତେକ ସ୍ବତନ୍ତ୍ର ତାଲିମ ହାସଲ କରିଥିଲା। ୯ ଫେବ୍ରୁଆରିରେ ଅଫଜଲ ଗୁରୁର ମୃତ୍ୟୁ ଦିବସରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଜୈସ୍‌ ଯୋଜନା କରିଥିଲା, କିନ୍ତୁ ପାଗ ଖରାପ ଥିବାରୁ ଆକ୍ରମଣ ସମ୍ଭବ ହୋଇନଥିଲା। ଏହାପରେ ସିଆର୍‌ପିଏଫ୍‌ ଉପରେ ଗତ ୧୪ ତାରିଖ ଦିନ ପ୍ରାୟ ୮୦ କିଲୋ ଆର୍‌ଡିଏକ୍ସ ବୋଝେଇ କାର୍‌ ନେଇ ଆଦିଲ୍‌ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର