ଅବସାଦରେ ଅଛନ୍ତି ପୁଲଓ୍ଵାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆଦିଲର ପରିବାର

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲଓ୍ଵାମାରେ ସଂଗଠିତ ସିଆରପିଏଫ୍‌ ଯବାନମାନଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଆଦିଲ ଅହମ୍ମଦର କାରନାମାକୁ ନେଇ ଆଦିଲର ପରିବାର ଲୋକେ ମଧ୍ୟ ଅବସାଦରେ ଅଛନ୍ତି। ସେମାନେ ୨୧ ବର୍ଷର ପୁଅ ଆଦିଲ ଅହମ୍ମଦ ଡାରର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଏହା ଲଜ୍ଜାଜନକ ବୋଲି କହିଛନ୍ତି।

ଆଦିଲର ସଂପର୍କୀୟ ଅବଦୁଲ ରସିଦ୍‌ କହିଛନ୍ତି ଯେ ଆଦିଲ୍‌ ପାଠପଢା ଛାଡି ଦେଇଥିଲା। ସେ ଗତ ମାର୍ଚ୍ଚ ୧୯ ତାରିଖରେ ନିଜ ଭାଇ ସମୀର ସହିତ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ଆଦିଲ ଯିବାବେଳେ କହିଥିଲା ଯେ ସେ ନିଜ ସାଙ୍ଗମାନଙ୍କୁ ଭେଟିବାକୁ ଯାଉଛି। ସେ ଘରୁ ସାଇକେଲ ନେଇ ଯାଇଥିଲା,ମାତ୍ର ଆଉ ଘରକୁ ଫେରିନଥିଲା। ଆଦିଲର ଘରଲୋକ ଏ ସଂପର୍କରେ ଥାନାରେ ଏତଲା ମଧ୍ୟ ଦେଇଥିଲେ।

ଏହାର କିଛି ଦିନ ପରେ ସୂଚନା ମିଳିଥିଲା ଯେ ଆଦିଲ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଏକଥା ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିଲା। ତା’ପରେ ଆଦିଲର ବାପା ମାଆ ପୁଅକୁ ଘରକୁ ଫେରିଆସିବା ଲାଗି ନିବେଦନ କରି ଭିଡିଓ ଅନ୍‌ଲାଇନ୍‌ରେ ସେଆର କରିଥିଲେ। ତେବେ ସେ ଆତ୍ମଘାତୀ ମିଶନ୍‌ରେ ଥିଲା ବୋଲି ତାଙ୍କୁ ଜଣା ନଥିଲା ବୋଲି ଆଦିଲର ବାପା କହିଛନ୍ତି।

ସମ୍ବନ୍ଧିତ ଖବର