ବିଲ ମଝିରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ! ହେଲିପ୍ୟାଡରେ ଓହ୍ଲାଇବାକୁ ଡରିଲେ ପାଇଲଟ୍

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ଏକ ଅଞ୍ଚଳକୁୁ କ୍ଷୟକ୍ଷତିର ଆକଳନ ଓ ବାତ୍ୟା ପ୍ରପୀଡ଼ିତ ଜନତାଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଆଜି ଏକ ବିଲ ମଝିରେ ଅବତରଣ କରିବା ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେଲିକପ୍ଟରର ପାଇଲଟ୍‌ କାହିଁକି ଅବତରଣ ପାଇଁ ଅସ୍ଥାୟୀ ରୂପେ ନିର୍ମିତ ହୋଇଥିବା ହେଲିପ୍ୟାଡ୍‌ରେ ହେଲିକପ୍ଟରରଟିକୁ ଅବତରଣ ନ କରାଇ ପାର୍ଶ୍ୱବର୍ତ୍ତୀ ଏକ ବିଲ ମଝିରେ ଅବତରଣ କରାଇଲେ ତାହାକୁ ନେଇ ଏବେ ହେଲିକପ୍ଟରର ପାଇଲଟ୍‌ ଓ ପ୍ରଶାସନ ମୁହାଁମୁହିଁ ହେବା ସହ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ରବିବାର ରାତିରେ ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କାସଗଞ୍ଜ ଅଞ୍ଚଳକୁୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଜି (ମଙ୍ଗଳବାର) ପୂର୍ବହ୍ନରେ କ୍ଷୟକ୍ଷତିର ଆକଳନ ଓ ବାତ୍ୟା ପ୍ରପୀଡ଼ିତ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ଏକ ହେଲିକପ୍ଟରରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟରର ଅବତରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ହେଲିପ୍ୟାଡ ମଧ୍ୟ ନିର୍ମିତ ହୋଇଥିଲା। ତେବେ ହେଲିପ୍ୟାଡ୍‌ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବହୁ ଗଛ ପଡ଼ିରହିଥିବାରୁ ପାଇଲଟ ହେଲିକପ୍ଟରକୁ ହେଲିପ୍ୟାଡ୍‌ ଉପରେ ଅବତରଣ ନକରାଇ ପାର୍ଶ୍ୱବର୍ତ୍ତୀ ଏକ ବିଲ ମଝିରେ ଅବତରଣ କରାଇଥିଲେ। ତେବେ, ଏହା ଏକ ଜରୁରିକାଳୀନ ଅବତରଣ ହୋଇ ନଥିବା ଦୃଷ୍ଟିରୁ ହେଲିକପ୍ଟର ପାଇଲଟ କାହିଁକି ବିଲମଝିରେ ମୁଖ୍ୟମନ୍ତ୍ରୀ ଯୋଗୀ ବସିଥିବା ହେଲିକପ୍ଟରକୁ ଅବତରଣ କଲେ, ତାହାକୁ ନେଇ ଏବେ ହେଲିକପ୍ଟରର ପାଇଲଟ୍‌ ଓ ପ୍ରଶାସନ ମୁହାଁମୁହିଁ ହେବା ସହ, ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର