ପର ନାରୀ ସହ ଯୌନ ସଂପର୍କ ଏବେ ଯବାନମାନଙ୍କୁ ମହଙ୍ଗା ପଡ଼ିବ!

ନୂଆଦିଲ୍ଲୀ: ପର ନାରୀ ସହ ଯୌନ ସଂପର୍କ ବା ପରକୀୟା ଏବେ ଯବାନମାନଙ୍କୁ ମହଙ୍ଗା ପଡ଼ିବ! ଉଲ୍ଲେଖଯୋଗ୍ୟ, ବ୍ୟଭିଚାର ବା ପରକୀୟାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଇନ୍‌ ସମତ୍ତ ବା ବୈଧ ଘୋଷଣା କରିଦେବା ପରେ ଏହା ଏବେ ଦେଶର ଯବାନ ବା ସଶସ୍ତ୍ର ବାହିନୀର ସୈନିକମାନଙ୍କ ମଧ୍ୟରେ ଅନୁଶାସନହୀନତା ସୃଷ୍ଟି କରିବ ବୋଲି ଆଶଙ୍କା କରୁଛି ସେନା ବାହିନୀ। ତେଣୁ, ସେନା ବାହିନୀ ଏ ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବେ ଉଠାଇଛି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ। ଏବଂ ସଶସ୍ତ୍ର ବାହିନୀ ପାଇଁ ପର ନାରୀ ସହ ଯୌନ ସଂପର୍କ ବା ପରକୀୟା ବା ବ୍ୟଭିଚାରକୁ ଏକ ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରିବା ପାଇଁ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଦଣ୍ଡବିଧି ଆଇନ୍‌ର ଧାରା ୪୯୭ରେ ବ୍ୟଭିଚାର ବା ପରକୀୟା ଏକ ଦଣ୍ଡନୀୟ ଅପରାଧ ଥିଲା। ତେବେ, ଗତ ୨୦୧୮ରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବ୍ୟଭିଚାରକୁ ଆଇନ୍‌ ସମତ୍ତ କରିଦେବା ସହ ବ୍ୟଭିଚାର ଆଉ ଏକ ଦଣ୍ଡନୀୟ ଅପରାଧ ନୁହେଁ ବୋଲି ଘୋଷଣା କରିଥିଲେ। ତେବେ, ବ୍ୟଭିଚାରକୁ ଯଦି ରୋକା ନଯାଏ, ତା’ହେଲେ ଏହା ସଶସ୍ତ୍ର ବାହିନୀ ମଧ୍ୟରେ ଅରାଜକତା ସୃଷ୍ଟି କରିବା ସହ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେନା ବିଭାଗ ପକ୍ଷରୁ କୁହାଯାଇଛି।

The Quint

ଏଥିସହ, ସେନା ବାହିନୀ ଏ ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବେ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଉଠାଯିବା ସହ ବ୍ୟଭିଚାର ମାମଲାରେ ସଶସ୍ତ୍ର ବାହିନୀ ପାଇଁ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯଦି ଏ ବାବଦରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ, ସେନା ବିଭାଗ ପକ୍ଷରୁ ଏ ପ୍ରସଙ୍ଗରେ ଆଉଥରେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଛି।

Outlook India

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ସଶସ୍ତ୍ର ବାହିନୀରେ ବ୍ୟଭିଚାରକୁ ଏକ ଜଘନ୍ୟ ଅପରାଧ ରୂପେ ବିବେଚନା କରା ଯାଉଥିଲା। ଖାଲି ଏତିକି ନୁହେଁ, ସଶସ୍ତ୍ର ବାହିନୀରେ ବ୍ୟଭିଚାର ବା ପରକୀୟାରେ ଲିପ୍ତ ଅପରାଧୀ ପାଇଁ ମୁତ୍ୟୁ ଦଣ୍ଡାଦେଶ ସୁଦ୍ଧା ରହିଥିଲା। ତେବେ, ସୁପ୍ରମ୍‌ କୋର୍ଟ ବ୍ୟଭିଚାରକୁ ଆଇନ୍‌ ସମତ୍ତ କରିଦେବା ପରେ ସେନା ବିଭାଗରେ ରହିଥିବା ବ୍ୟଭିଚାର ଆଇନ୍‌ ଅଚଳ ହୋଇଯିବା ସହ ଏହାକୁ ନେଇ ଏକ ଦ୍ୱନ୍ଦ୍ୱ ଓ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଅନୁଶାସନହୀନତା ଦେଖା ଦେଉଛି ସଶସ୍ତ୍ର ବାହିନୀରେ।

ସମ୍ବନ୍ଧିତ ଖବର