ସୁପ୍ରିମ୍ କୋର୍ଟଙ୍କ ଐତିହାସିକ ରାୟ : ପରକୀୟା ପ୍ରୀତି ଅପରାଧ ନୁହେଁ

ଧାରା ୪୯୭ ଅସାମ୍ବିଧାନିକ, ଛାଡ଼ପତ୍ର ପାଇଁ ଆଧାର ହୋଇପାରିବ, ପତ୍ନୀର ମାଲିକ ପତି ନୁହେଁ, ପସନ୍ଦ ଅନୁସାରେ ବଂଚିବେ ମହିଳା

0 3,729

ନୂଆଦିଲ୍ଲୀ : ପରକୀୟା ପ୍ରୀତି ଅପରାଧ ନୁହେଁ। ତେଣୁ, ବିବାହ ପରେ ଅନ୍ୟ କାହା ସହିତ ଶାରୀରିକ ସଂପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ କିମ୍ବା ସଂପୃକ୍ତ ବ୍ୟକ୍ତିକୁ ଅପରାଧୀ ବିବେଚନା କରାଯାଇ ଦଣ୍ଡିତ କରାଯିବ ନାହିଁ। ଗୁରୁବାର ସୁପ୍ରିମ୍ କୋର୍ଟ ବୈବାହିକ ସଂପର୍କ ସହ ଜଡ଼ିତ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୯୭କୁ ଅସାମ୍ବିଧାନିକ ଘୋଷଣା କରି ଏହି ଐତିହାସିକ ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସମ୍ବିଧାନ ପୀଠ ୧୫୮ ବର୍ଷର ପୁରୁଣା ଏହି ଧାରାକୁ ମନମୁଖି, ଏକପାଖିଆ ଏବଂ ମହିଳା ବିରୋଧୀ ବୋଲି ରାୟ ଦେଇଛନ୍ତି।

ଯଦିଓ ପରକୀୟା ପ୍ରୀତିକୁ ଅପରାଧମୁକ୍ତ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି, ଏହାକୁ ଛାଡ଼ପତ୍ର କ୍ଷେତ୍ରରେ ଏକ କାରଣ ବା ଆଧାର ଭାବେ ବ୍ୟବହାର କରାଯାଇ ପାରିବ। ଦମ୍ପତିଙ୍କ ମଧ୍ୟରୁ ଯେ କେହି ବି ପରକୀୟା ପ୍ରୀତିକୁ କାରଣ ଦର୍ଶାଇ ଏବଂ ଏ ବାବଦରେ ଠୋସ୍ ପ୍ରମାଣ ହାସଲ କରି ଛାଡ଼ପତ୍ର ପାଇଁ ଦାବି କରି‌ପାରିବେ। କୋର୍ଟ ମଧ୍ୟ ଏହାକୁ ମାନିନେବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ର ନିଜ ରାୟରେ କହିଛନ୍ତି, ସମ୍ମାନର ସହିତ ବଂଚିବା ମହିଳାଙ୍କର ମଧ୍ୟ ଅଧିକାର। ତେଣୁ ମହିଳାଙ୍କ ପ୍ରତି ଅସମାନତା ପ୍ରଦର୍ଶନ କରୁଥିବା ସମସ୍ତ ବ୍ୟବସ୍ଥା ସମ୍ବିଧାନ-ବି‌େରାଧୀ। ସମ୍ବିଧାନ ଅନୁସାରେ କାହା ପ୍ରତି କୌଣସି ପ୍ରକାର ଭେଦଭାବ କରାଯିବା ଉଚିତ ନୁହେଁ। ତେଣୁ ମହିଳାଙ୍କ କ୍ଷେତ୍ରରେ ତାହାର ବିଡ଼ମ୍ବନା କାହିଁକି ଘଟିବ? ସମାଜ ଯେଉଁଭଳି ଭାବେ ଚାହୁଁଛି, ସେହି ଅନୁସାରେ ଜଣେ ମହିଳାଙ୍କ ଉପରେ ଜୋରଜବରଦସ୍ତ ନିୟମ
ଲଦିଦେଇ ତାଙ୍କୁ ସ୍ବାଚ୍ଛନ୍ଦ୍ୟରେ ଜୀବନ ଜିଇବାରୁ ବଂଚିତ କରାଯାଇ ପାରିବ ନାହିଁ। ପୁରୁଷଙ୍କ ଭଳି ମହିଳା ମଧ୍ୟ ସମାନ ଭାବେ ପୂର୍ଣ୍ଣ ସ୍ବାଧୀନତା ସହ ବଂଚିପାରିବେ ବୋଲି ଜଷ୍ଟିସ୍ ମିଶ୍ର ଦର୍ଶାଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର ନିଜର ଏବଂ ବିଚାରପତି ଏ ଏମ୍ ଖାନୱିଲକରଙ୍କ ରାୟ ପଢ଼ି କହିଛନ୍ତି, ବିବାହ ବିରୋଧୀ ଅପରାଧ ସହିତ ଜଡ଼ିତ ଆଇପିସି ଧାରା ୪୯୭ ଏବଂ ସିଆରପିସି ଧାରା ୧୯୮କୁ ଅସାମ୍ବିଧାନିକ ବୋଲି ଘୋଷଣା କରୁଛୁ। ଏ ବାବଦରେ ପୃଥକ୍ ଭାବେ ନିଜ ରାୟ ପଢ଼ି ଜଷ୍ଟିସ୍ ଆର୍ ଏଫ୍ ନରିମାନ୍ ଧାରା ୪୯୭କୁ ଅଯୌକ୍ତିକ ତଥା ପୁରୁଣା ଦର୍ଶାଇ ଜଷ୍ଟିସ୍ ମିଶ୍ର ଏବଂ ଖାନୱିଲକରଙ୍କ ସହ ସହମତ ବୋଲି କହିଛନ୍ତି।

Panda Mobile only

ଖଣ୍ଡପୀଠରେ ଥିବା ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ମଧ୍ୟ ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ମତ ଦେଇଛନ୍ତି। ଫଳରେ ସଂଖ୍ୟାଗରିଷ୍ଠତା ଭିତ୍ତିରେ ଏହି ୧୫୮ ବର୍ଷର ପୁରୁଣା ଧାରାକୁ ଅସାମ୍ବିଧାନିକ ଘୋଷଣା କରାଯାଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କହିବାନୁସା‌େର, ଧାରା ୪୯୭ ମହିଳାଙ୍କ ଯୌନ ସ୍ବାଧୀନତାକୁ ପ୍ରଭାବିତ କରୁଛି। ତେଣୁ ସମ୍ବିଧାନ ଦୃଷ୍ଟିରୁ ଏହା ଆଦୌ ବୈଧ ନୁହେଁ। ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା କହିଛନ୍ତି, ବିବାହ ପରେ ଜଣେ ମହିଳା ନିଜ ପରିଚୟ ଏବଂ ନ୍ୟାୟିକ ଅଧିକାର ହରାଇବସେ। ଏହାଦ୍ବାରା ତାଙ୍କର ମୌଳିକ ଅଧିକାର ନଷ୍ଟ ହୋଇଯାଏ। ତେଣୁ ଏହି ସିଦ୍ଧାନ୍ତ ସମ୍ବିଧାନ ସହିତ ଆଦୌ ମେଳ ଖାଉନାହିଁ ବୋଲି ଖଣ୍ଡପୀଠ ଯୁକ୍ତି ଦର୍ଶାଇଛନ୍ତି।

ଖଣ୍ଡପୀଠ ନିଜର ଏହି ଐତିହାସିକ ରାୟ ପ୍ରକାଶ କରି କହିଛନ୍ତି ଯେ ଗଣତନ୍ତ୍ରରେ ‘ମୁଁ, ତୁମେ ଓ ଆମେ’ ଉପରେ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଦାମ୍ପତ୍ୟ ଜୀବନରେ କେବଳ ପତି ସର୍ବସ୍ବ ନୁହେଁ। ଦୁଇପକ୍ଷଙ୍କୁ ସମାନ ଅଧିକାର ମିଳିବା ଉଚିତ। ଧାରା ୪୯୭ରେ ତାହା ଭିନ୍ନ। ପତି ହିଁ ପତ୍ନୀର ମାଲିକ। ପତିଙ୍କ ନି‌େର୍ଦ୍ଦଶରେ ହିଁ ପତ୍ନୀକୁ ସବୁ କରିବାକୁ ପଡୁଛି। ତେଣୁ ଏଭଳି ଅସାମ୍ବିଧାନିକ ନିୟମର ଆଉ କୌଣସି ମାନେ ନାହିଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, କେରଳର ପ୍ରବାସୀ ଭାରତୀୟ ଯୋଶେଫ ସାଇନ୍ ଧାରା ୪୯୭କୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମ୍ କୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲେ। ଏହି ଧାରା ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ସୁପ୍ରିମ୍ କୋର୍ଟ ଗତବର୍ଷ ଡିସେମ୍ବରରେ ଶୁଣାଣି ପାଇଁ ଏହାକୁ ଗ୍ରହଣ କରିଥିଲେ। ଚଳିତବର୍ଷ ଜାନୁଆରୀରେ ଏହି ମାମଲାକୁ ପାଞ୍ଚଜଣିଆ ସମ୍ବିଧାନ ପୀଠ ନିକଟକୁ ପଠାଇ ଦିଆଯାଇଥିଲା।

ଧାରା ୪୯୭ରେ ଥିବା ବ୍ୟବସ୍ଥା ଅନୁସାରେ, ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ସହମତିରେ ଶାରୀରିକ ସମ୍ବନ୍ଧ ରଖନ୍ତି, ତେବେ ଏହାକୁ ପରକୀୟା ପ୍ରୀତି ବୋଲି ବିବେଚନା କରାଯାଉଛି। ଏ କ୍ଷେତ୍ରରେ ମହିଳାଙ୍କ ସ୍ବାମୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାଏର କରିପାରିବେ। ଦୋଷୀ ସାବ୍ୟସ୍ତ ହେଲେ ଏଥିପାଇଁ ସର୍ବାଧିକ ୫ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି। କିନ୍ତୁ ନିଜ ପତ୍ନୀଙ୍କ ବିରୋଧରେ ସେ କୌଣସି ପ୍ରକାର ଆପତ୍ତି ଉଠାଇ ପାରିବେ ନାହିଁ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ସେହିଭଳି ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା‌ ଉକ୍ତ ପୁରୁଷଙ୍କ ପତ୍ନୀ ମଧ୍ୟ ସେହି ମହିଳାଙ୍କ ବିରୋଧରେ ଏତଲା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.