ବୈବାହିକ ସଂପର୍କରେ ଶୁଦ୍ଧତା ବଜାୟ ରଖିବାକୁ ହେଲେ ବ୍ୟଭିଚାରକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରିବାର ଆବଶ୍ୟକତା ଅଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବୈବାହିକ ସଂପର୍କରେ ଶୁଦ୍ଧତା ବଜାୟ ରଖିବାକୁ ହେଲେ ଗୋଟିଏ ବିବାହିତ ପୁରୁଷ ବା ସ୍ତ୍ରୀର ଅନ୍ୟ ଅନ୍ୟ ସ୍ତ୍ରୀ ବା ପୁରୁଷ ସହ ଇଚ୍ଛାକୃତ ଯୌନସଂପର୍କ ସ୍ଥାପନ (ବ୍ୟଭିଚାର ବା ପରକୀୟା)କୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରିବାର ଆବଶ୍ୟକତା ରହିଛି ବୋଲି ଆଜି କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ କହିଛନ୍ତି।

ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମ୍‌ କୋର୍ଟ ଏ ମାମଲାରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଥିଲେ। ଏକ ସତ୍ୟପାଠରେ ନିଜର ମତ ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ବିବାହର ଶୁଦ୍ଧତା ଓ ପବିତ୍ରତାକୁ ଅତୁଟ ରଖିବା ପାଇଁ ଭାରତୀୟ ଦଣ୍ଡବିଧି ଆଇନ୍‌ (ଆଇପିସି) ୪୯୭ ଧାରାରେ ବ୍ୟଭିଚାରକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯାଇଛି। ତେଣୁ, ବିବାହର ଶୁଦ୍ଧତା ଓ ପବିତ୍ରତାକୁ ଅତୁଟ ରଖିବାକୁ ହେଲେ ଏହାକୁ ଅପରିବର୍ତ୍ତିତ କରି ରଖିବାକୁ ପଡ଼ିବ ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବ୍ରିଟିଶ ଶାସନ ଅମଳରୁ, ପ୍ରାୟ ୧୫୭ ବର୍ଷ ତଳୁ ଯଦି କୌଣସି ବିବାହିତ ପୁରୁଷ ଅନ୍ୟଜଣେ ବିବାହିତ ମହିଳା ସହ ଯୌନସଂପର୍କ ସ୍ଥାପନ କରେ ତେବେ ଏହାକୁ ବ୍ୟଭିଚାର ବା ପରକୀୟା ରୂପେ ବିବେଚନା କରାଯିବା ସହ ଏପରି ବ୍ୟଭିଚାରରେ ଲିପ୍ତ ବ୍ୟକ୍ତିକୁ ଆଇପିସିର ୪୯୭ ଧାରାରେ ଦୋଷୀ ସାବ୍ୟସ୍ତ କରାଯିବା ସହ ୫ବର୍ଷ ପାଇଁ ଜେଲଦଣ୍ଡ ସହ ଜରିମାନା ଆଦାୟ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।

ତେବେ, ଆଇପିସିର ୪୯୭ ଧାରାରେ କେବଳ କାହିଁକି ପୁରୁଷମାନଙ୍କୁ ଦଣ୍ଡିତ କରାଯିବ ଏବଂ ଏଥିରେ ସଂପୃକ୍ତ ମହିଳାମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ ହୋଇଥିଲା। ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗତ ୨୦୧୮ ଜାନୁଆରି ମାସରେ ଗ୍ରହଣ କରିବା ସହ ଏ ମାମଲାରେ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଥିଲେ। ତେବେ, କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଏହି ମତ ରଖିବା ପରେ ଆଜି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର ଓ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏହି ସତ୍ୟପାଠକୁ ଦୃଷ୍ଟିରେ ରଖି ଏହାର ଅଧିକ ବିଚାର ପାଇଁ ଏହାକୁ ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର