ଦୃଷ୍ଟିହୀନ ପିଲାଙ୍କ ସହ ୯୦ତମ ଜନ୍ମଦିନ ପାଳିଲେ ଆଡଭାନି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନି ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆଡଭାନି ଆଜି ତାଙ୍କ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳିଛନ୍ତି। ଜନ୍ମଦିନରେ ସ୍ଥାନୀୟ ଦୃଷ୍ଟିହୀନ ବିଦ୍ୟାଳୟର ୯୦ ବିଦ୍ୟାର୍ଥୀଙ୍କୁ ଆଡଭାନି ତାଙ୍କ ବାସଭବନକୁ ଆମନ୍ତ୍ରଣ କରିଥିଲେ। ଲୋଧି ରୋଡ୍‌ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଙ୍କ ସହ ଆଡଭାନି ଏକାଠି ଭୋଜନ କରିଥିଲେ ଏବଂ ଉପହାର ସ୍ୱରୁପ ସେମାନଙ୍କୁ ସ୍କୁଲ୍‌ ବ୍ୟାଗ୍‌ ଦେଇଥିଲେ। ଆଡଭାନିଙ୍କ ଜନ୍ମଦିନ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କୁ ବ୍ୟକ୍ତିଗତ ଭାବେ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନିଙ୍କୁ ଟ୍ଵିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ଵିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିବାବେଳେ ଗୃହମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର