ବିମୁଦ୍ରାୟନ ପରେ କିଛି ବଲିଉଡ୍‌ ସେଲିବ୍ରିଟି, ନେତା ନିରବଙ୍କ କମ୍ପାନିରୁ ନଗଦ ଟଙ୍କା ଦେଇ ହୀରା କିଣିଥିଲେ

ମୁମ୍ବାଇ: ଦେଶରେ ଏବେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିରେ ପରିଣତ ହୋଇଛନ୍ତି ହୀରା ବ୍ୟବସାୟୀ ନିରବ ମୋଦି । ସେ କରିଥିବା ବହୁକୋଟି ଟଙ୍କାର ପିଏନବି ଠକେଇ ମାମଲା ଏବେ କେବଳ ବ୍ୟାଙ୍କିଙ୍ଗ ଜଗତ ନୁହେଁ ଦେଶର ରାଜନୀତିକୁ ଦୋହଲେଇ ଦେଇଛି । ବିଭିନ୍ନ ସରକାରୀ ସଂସ୍ଥା ଯଥା ସିବିଆଇ, ଇଡି ଓ ଆୟକର ବିଭାଗ ଏବେ ନିରବଙ୍କ ବିଭିନ୍ନ କାରବାର ଓ ଶୋରୁମ ଉପରେ ଚଢଉ ଜାରି ରଖିଛି । ଇତି ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ହାତରେ ଲାଗିଛି । ଯାହାକି ଆଗାମୀ ଦିନରେ ଏହି ଘଟଣାକୁ ଭିନ୍ନ ମୋଡ ଦେବ । ନିରବ ମୋଦିଙ୍କ ସହିତ ଅନେକ ବଲିଉଡ ବ୍ୟକ୍ତିତ୍ୱ ଓ ରାଜନୈତିକ ନେତାଙ୍କ ସଂପର୍କ ଥିବା ଜଣାପଡିଛି ।

ଗତ ୨୦୧୬ ନଭେମ୍ବରରେ ହୋଇଥିବା ବିମୁଦ୍ରାୟନ ସମୟରେ ଅନେକ ବଲିଉଡ ଷ୍ଟାର ନଗଦ ଟଙ୍କା ବିନିମୟରେ ନିରବ ମୋଦିଙ୍କ ଶୋରୁମରୁ ହୀରା ଓ ସୁନା ଖରିଦ କରିଥିଲେ । ସେମାନେ ନିଜର ପ୍ରକୃତ ନେଣଦେଣ ଲୁଚାଇବା ପାଇଁ କିଛି ଅର୍ଥ ଚେକ ଦ୍ୱାରା ଓ ଆଉ କିଛି ନଗଦ ଟଙ୍କା ଦେଇ କିଣିଥିଲେ । ଆୟକର ବିଭାଗ ପକ୍ଷରୁ ଗତ ବର୍ଷ ନିରବମୋଦିଙ୍କ କମ୍ପାନିରେ ହୋଇଥିବା ଚଢଉ ବେଳେ ଏସବୁ ତଥ୍ୟ ଜଣାପଡିଥିଲା । ଏବେ ଆୟକର ବିଭାଗ ଉକ୍ତ ବଲିଉଡ ଷ୍ଟାର ମାନଙ୍କର ନିରବଙ୍କ ସହ ହୋଇଥିବା ନେଣଦେଣ ଉପରେ ଆହୁରି ଖୋଲତାଡ଼ କରିବା ଆରମ୍ଭ କରିଛି । ଏହି ତାଲିକାରେ ଜଣେ ଓକିଲ-ସାଂସଦ ଥିବା ଜଣାପଡିଛି । ଖୁବଶୀଘ୍ର ଏମାନଙ୍କୁ ପଚରା ଉଚୁରା ମଧ୍ୟ କରାଯାଇପାରେ । ଏସବୁ ତଥ୍ୟ ଯୋଗାଡ଼ କରି ନିରବଙ୍କ ବିରୋଧରେ ମାମଲାକୁ ଆହୁରି ଦୃଢ କରିବାକୁ ଆୟକର ବିଭାଗ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର