୭୦ ଲକ୍ଷର ଘଣ୍ଟା ପରେ ୧.୮ କୋଟିର ଗାଡ଼ି ଉପହାର ନେଇ ଫସିଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା; ବିଜେପି କହିଲା ଉପହାର ନୁହେଁ ଲାଞ୍ଚ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ୧.୮ କୋଟି ଟଙ୍କା ମୂଲ୍ୟର ଏକ ୨୦୧୯ ମଡେଲର ମର୍ସିଡିଜ୍‌- ବେଞ୍ଜ ଏସ୍‌ୟୁଭି ଗାଡ଼ି ଉପହାର ଆକାରରେ ମିଳିବା ଘଟଣାକୁ କେନ୍ଦ୍ର କରି କର୍ଣ୍ଣାଟକର ରାଜନୀତି ଏବେ ଆଉଥରେ ସରଗରମ ହୋଇଛି। କର୍ଣ୍ଣାଟକର କଂଗ୍ରେସ ବିଧାୟକ ବି ସୁରେଶ ସିଦ୍ଧରମେୟାଙ୍କୁ ଏହି ବହୁମୂଲ୍ୟ ଗାଡ଼ି ଉପହାର ଆକାରରେ ପ୍ରଦାନ କରିଥିବା ଆଲୋଚନା ହେଉଛି।

ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ନେତା ସିଦ୍ଧରମେୟା ଆଉଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ଏହି ଗାଡ଼ି ଉପହାର ଆକାରରେ ନୁହେଁ ବରଂ ଲାଞ୍ଚ ଆକାରରେ ମିଳିଛି ବୋଲି ଅଭିଯୋଗ କରିଛି ବିରୋଧୀ ବିଜେପି। କର୍ଣ୍ଣାଟକ ରାଜ୍ୟ କ୍ଷୁଦ୍ର ଶିଳ୍ପ ଉନ୍ନୟନ ନିଗମର ଅଧ୍ୟକ୍ଷ ରୂପେ କଂଗ୍ରେସ ବିଧାୟକ ବି ସୁରେଶଙ୍କୁ ନିଯୁକ୍ତି ମିଳିବା ପରେ ସେ ଏହି ବହୁ ମୂଲ୍ୟ ଗାଡ଼ିକୁ ସିଦ୍ଧରମେୟାଙ୍କୁ ଲାଞ୍ଚ ଆକାରରେ ଦେଇଥିବା ଅଭିଯୋଗ କରିଛି ବିରୋଧୀ ବିଜେପି।

ବିଭିନ୍ନ ସମୟରେ ବହୁମୂଲ୍ୟ ଉପହାର ଗ୍ରହଣ କରି ବିବାଦରେ ଫସିବାରେ ଏହା ହେଉଛି ସିଦ୍ଧରମେୟାଙ୍କ ପାଇଁ ଦ୍ୱିତୀୟ ଘଟଣା। ୨୦୧୯ ମଡେଲର ମର୍ସିଡିଜ୍‌- ବେଞ୍ଜ ଏସ୍‌ୟୁଭି ଗାଡ଼ି ଉପହାର ଗ୍ରହଣ କରି ବିବାଦରେ ଫସିବା ପୂର୍ବରୁ ସିଦ୍ଧରମେୟା ୭୦ ଲକ୍ଷ ଟଙ୍କା ମୂଲ୍ୟର ଏକ ହୁବ୍‌ଲଟ୍‌ ହାତବନ୍ଧା ଘଣ୍ଟା ଉପହାର ଆକାରରେ ଗ୍ରହଣ କରି ବିବାଦରେ ଫସିଥିଲେ ଏବଂ କର୍ଣ୍ଣାଟକରେ କଂଗ୍ରେସର ଛବି ମଳିନ ପଡ଼ିଥିଲା। ଏବେ ପୁଣିଥରେ ସେଇ ଘଟଣାର ପୁନରାବୃତ୍ତି ଘଟିଛି।


ଅନ୍ୟପକ୍ଷରେ ବିରୋଧୀ ବିଜେପି ସିଦ୍ଧରମେୟାଙ୍କ ଉପରେ କରିଥିବା ଲାଞ୍ଚ ଅଭିଯୋଗ ସଂପର୍କରେ ସିଦ୍ଧରମେୟା କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଡି ଶିବକୁମାର କହିଛନ୍ତି ଯେ ଏହି ଗାଡ଼ିଟି ସିଦ୍ଧରମେୟାଙ୍କର କିମ୍ବା କୌଣସି ତାଙ୍କୁ ଉପହାର ଆକାରରେ ମିଳିଛି ବୋଲି କୌଣସି କାଗଜପତ୍ର ନାହିଁ। ବିରୋଧୀ ବିଜେପିର ଲାଞ୍ଚ ଅଭିଯୋଗ ମିଥ୍ୟା। ସେହିପରି ବିଧାୟକ ବି ସୁରେଶ କହିଛନ୍ତି ଯେ ସିଦ୍ଧରମେୟାଙ୍କ ଗାଡ଼ିର ଅସୁବିଧା ଥିବାରୁ ସେ କିଛି ଦିନ ବ୍ୟବହାର କରିବା ପାଇଁ ଏହି ଗାଡ଼ିଟି ନେଇଥିଲେ।

ସମ୍ବନ୍ଧିତ ଖବର