ଲାଲକିଲ୍ଲାରୁ ଫେରିବା ବାଟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଟୋକୋଲକୁ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ଭେଟିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ; ଚକିତ ହୋଇ ରହିଗଲେ ସୁରକ୍ଷା କର୍ମୀ
ନୂଆଦିଲ୍ଲୀ: ୭୨ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ଐତିହାସିକ ଲାଲକିଲ୍ଲା ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଫେରିବା ବାଟରେ ସମସ୍ତ ସୁରକ୍ଷା ବଳୟ ଓ ପ୍ରୋଟୋକୋଲକୁ ଭାଙ୍ଗି ଯେପରି ଢ଼ଙ୍ଗରେ ଯାଇ ସେଠାରେ ଉପସ୍ଥିତ ଥିବା ଶତାଧିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିଲେ ତାକୁ ନେଇ ଏବେ ଦେଶ ବ୍ୟାପି ଚର୍ଚ୍ଚା ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲାଲକିଲ୍ଲା ଉପରୁ ୭୨ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ସାରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଫେରିବା ପାଇଁ ତାଙ୍କ ସୁରକ୍ଷା କର୍ମୀଙ୍କ ଗହଣରେ ନିଜ ଗାଡ଼ିରେ ବସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗାଡ଼ିରେ ବସିବା ପରେ ସୁରକ୍ଷା କର୍ମୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ଆଗକୁ ବଢ଼ିଥିଲା। ଆତଙ୍କବାଦୀଙ୍କ ଧମକ ଓ ଗୁଇନ୍ଦା ସୂଚନାକୁ ଦୃଷ୍ଟିରେ ରଖି ଆଜି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଲାଲକିଲ୍ଲାରେ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
ତେବେ, ଫେରିବା ବାଟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ସୁରକ୍ଷା ବଳୟ ଓ ପ୍ରୋଟୋକୋଲକୁ ଭାଙ୍ଗି ହଠାତ ତାଙ୍କ ଗାଡ଼ିଟିକୁ ରାସ୍ତା ଉପରେ ଅଟକାଇ ଦେଇଥିଲେ। ଏବଂ ତାଙ୍କ ସୁରକ୍ଷା କର୍ମୀମାନେ କିଛି ବୁଝି ନପାରି ତାଙ୍କ ନିକଟରେ ଆସି ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଗାଡ଼ିରୁ ଓହ୍ଲାଇ ସେଠାରେ ଉପସ୍ଥିତ ଥିବା ହଜାର ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ପଶି ଯାଇଥିଲେ। ମୋଦିଙ୍କ ଏପ୍ରକାର କାରବାର ଦେଖି ତାଙ୍କ ସୁରକ୍ଷା କର୍ମୀମାନେ କିଛି ବୁଝିପାରି ନପାରି ଚକିତ ହୋଇ ରହି ଯାଇଥିଲେ।
72nd Independence Day: PM Modi breaks protocol, interacts with kids – https://t.co/p92vX4j8zq via @dailymotionind
— Pushpamitra Mohanty (@Pushpamitra) August 15, 2018
ତେବେ, ସେଠାରେ ଗେରୁଆ, ସବୁଜ ଓ ଧଳା ଟ୍ରାକ୍ସୁଟ୍ ପିନ୍ଧି ଭାରତ ମାନଚିତ୍ର ତିଆରି କରିଥିବା ହଜାର ହଜାର ଛାତ୍ର ଛାତ୍ରୀ ଯେତେବେଳେ ସେମାନଙ୍କ ଗହଣରେ ପାଇଗଲେ ସେତେବେଳେ ସେମାନଙ୍କ ଖୁସି କହିଲେ ନସରେ। ସେମାନେ ମୋଦିଙ୍କ ସହ ହାତ ମିଶାଇବା ସହ ତାଙ୍କୁ କୁଣ୍ଢାଇ ପକାଇଥିଲେ। ମୋଦି ଛାତ୍ରଛାତ୍ରୀଙ୍କ ସହ ହାତ ମିଶାଇବା ସହ ସେମାନଙ୍କ ସହ କିଛି କଥା ହୋଇଥିଲେ। ପ୍ରାୟ ୧୦ରୁ ୧୫ ମିନିଟ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇବା ପରେ ନିଜ ଗାଡ଼ିକୁ ଫେରି ଆସିଥିଲେ।