ଟାର୍ଗେଟ୍‌ରେ ଭାରତର ଇହୁଦି ପ୍ରତିଷ୍ଠାନ, ଦିଲ୍ଲୀ, ମୁମ୍ବାଇ, ଗୋଆରେ ସୁରକ୍ଷା କଡ଼ାକଡ଼ି

ନ୍ୟୁଜିଲାଣ୍ଡ୍‌ ଆକ୍ରମଣ ପରେ ଆଇଏସ୍‌, ଅଲ୍‌କାଏଦା ସକ୍ରିୟ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ଏବଂ ଅଲ୍‌ କାଏଦା ଭାରତରେ ଇହୁଦି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବଡ଼ ଯୋଜନା କରୁଛି। ନିକଟରେ ନ୍ୟୁଜିଲାଣ୍ଡ୍‌ର ଦୁଇଟି ମସ୍‌ଜିଦ୍‌ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଉଭୟ ଆତଙ୍କବାଦୀ ସଂଗଠନ ତତ୍ପର ହୋଇଉଠିଛନ୍ତି ଏବଂ ସେମାନେ ଭାରତକୁ ଟାର୍ଗେଟ୍‌ କରିଛନ୍ତି। ଏହି ଆକ୍ରମଣ ଯୋଜନା ସଂପର୍କରେ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସୁରାକ୍‌ ମିଳିଥିବାରୁ ଦିଲ୍ଲୀ, ମୁମ୍ବାଇ ଏବଂ ଗୋଆରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଇସ୍ରାଏଲ ଦୂତାବାସ ଏବଂ ମୁମ୍ବାଇ ସ୍ଥିତି ବାଣିଜ୍ୟିକ ଦୂତାବାସ ସମେତ ବିଭିନ୍ନ ଇହୁଦି ପ୍ରତିଷ୍ଠାନ ଏବଂ ଧାର୍ମିକ ପୀଠଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ଏବଂ ଏଥିପାଇଁ ସେମାନେ ବିସ୍ଫୋରକ ବୋଝେଇ କାର୍‌, ଭ୍ୟାନ୍‌ କିମ୍ବା ଟ୍ରକ୍‌ ବ୍ୟବହାର କରିପାରନ୍ତି। ଏହା ବ୍ୟତୀତ ଆତ୍ମଘାତୀ ଆତଙ୍କବାଦୀ ଛୁରା ମାଡ଼ କରି ଅଧିକରୁ ଅଧିକ ଲୋକଙ୍କୁ ମୃତାହତ କରବାକୁ ଯୋଜନା କରୁଥିବା ରିପୋର୍ଟ ମିଳିଛି। ଇସ୍‌ଲାମିକ ଷ୍ଟେଟ୍‌ ପ୍ରବକ୍ତା ଅବୁ ହସନ୍‌ ଅଲ୍‌ ମୁହାଜିର ତା’ର ଅନ୍‌ଲାଇନ୍‌ ଗ୍ରୁପ୍‌ଗୁଡ଼ିକୁ ଭାରତରେ ଏହି ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଥିବା ନେଇ ଗତକାଲି ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସୂଚନା ମିଳିବା ମାତ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଲ୍‌ କାଏଦା ଏବଂ ଆଇଏସ୍‌ ପୃଥକ୍‌ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବାରୁ ସୁରକ୍ଷା ସଂସ୍ଥାଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଆତଙ୍କବାଦୀମାନେ ଅଣପାରମ୍ପାରିକ ଅସ୍ତ୍ର ବ୍ୟବହାର କରବାକୁ ଯୋଜନା କରିଥିବାରୁ ଏହାକୁ ରୋକିବା ଦିଗରେ ଆଗୁଆ କିଭଳି ସତର୍କତା ପଦକ୍ଷେପ ନିଆଯାଇପାରିବ ସେ ନେଇ ଦିଲ୍ଲୀ ପୁଲିସର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ ନିକଟରେ ନ୍ୟୁଜିଲାଣ୍ଡ୍‌ର ଖ୍ରୀଷ୍ଟଚର୍ଚ୍ଚ ସହରରେ ୨ଟି ମସ୍‌ଜିଦ୍‌ ଉପରେ ଆକ୍ରମଣ ହୋଇଥିଲା ଏବଂ ଆଖିବୁଜା ଗୁଳିମାଡ଼ରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଆକ୍ରମଣକାରୀ ୨୯ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକକୁ ଗିରଫ କରିଥିବା ବେଳେ ଏହା ଆତଙ୍କବାଦୀ କାଣ୍ଡ ଥିଲା ବୋଲି ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର