୧୦ମ ଦିନରେ ପହଞ୍ଚିଲା ପଟ୍ଟିଦାର ନେତା ହାର୍ଦ୍ଦିକଙ୍କ ଆମରଣ ଅନଶନ: ଗୁରୁତର ହେଉଛି ସ୍ୱାସ୍ଥ୍ୟାବସ୍ଥା; ଘୋଷଣା କଲେ ଇଚ୍ଛାପତ୍ର

ଅହମ୍ମଦାବାଦ (ଗୁଜୁରାଟ): ପଟ୍ଟିଦାରମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବି କରି ଗୁଜୁରାଟର ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଗତ ଅଗଷ୍ଟ ୨୫ ତାରଖରୁ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ୧୦ମ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ଅନଶନରତ ହାର୍ଦ୍ଦିକଙ୍କ ସ୍ୱାସ୍ଥାବସ୍ଥା ଉଦ୍‌ବେଗଜନକ ହୋଇପଡ଼ି ଥିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ସୁଦ୍ଧା ସେ ଡାକ୍ତରମାନଙ୍କର ପରାମର୍ଶକୁ ପ୍ରତ୍ୟାଖାନ କରିଦେଇଛନ୍ତି। ସେହିପରି ହାର୍ଦ୍ଦିକ ସାଲାଇନ୍‌ ନେବାକୁ ମଧ୍ୟ ମନା କରିଦେବା ସହ ପାଣି ସୁଦ୍ଧା ଗ୍ରହଣ କରୁ ନଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମେ ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, କୌଣସି ସର୍ବସାଧାରଣ ସ୍ଥାନରେ ଅନଶନରେ ବସିବା ପାଇଁ ଗୁଜୁରାଟ ସରକାର ତାଙ୍କୁ ଅନୁମତି ଦେବାକୁ ମନା କରିଦେବା ପରେ ହାର୍ଦ୍ଦିକ ଗତ ଅଗଷ୍ଟ ୨୫ ତାରିଖ ଠାରୁ ନିଜ ଅହମ୍ମଦାବାଦସ୍ଥିତ ବାସଭବନରେ ଆମରଣ ଅନଶନରେ ବସିଛନ୍ତି ହାର୍ଦ୍ଦିକ।

ଏ ପରିସ୍ଥିତିରେ ପଟ୍ଟିଦାର ନେତା ହାର୍ଦ୍ଦିକ ଆଜି (ସୋମବାର) ତାଙ୍କର ଇଚ୍ଛାପତ୍ରକୁ ସାର୍ବଜନୀନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରୁ ଓହରିବେ ନାହିଁ ବୋଲି ଜିଦ୍‌ ଧରି ବସିଥିବା ପଟ୍ଟିଦାର ନେତା ହାର୍ଦ୍ଦିକ କହିଛନ୍ତି ଯେ ଅନଶନରତ ଥିବା କାଳରେ ଯଦି ତାଙ୍କର ମୁତ୍ୟୁ ଘଟେ ତେବେ ତାଙ୍କ ସଂପତ୍ତିର ଭାଗବଣ୍ଟା ତାଙ୍କ ଇଚ୍ଛାପତ୍ର ଅନୁଯାୟୀ ହେବ। ହାର୍ଦ୍ଦିକଙ୍କ ଇଚ୍ଛାପତ୍ର ଅନୁଯାୟୀ, ୨୦୧୫ରେ ହୋଇଥିବା ପଟ୍ଟିଦାର ଆନ୍ଦୋଳନ କାଳରେ ଯେଉଁ ୧୪ ଜଣ ପଟ୍ଟିଦାର ଯୁବକ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାରବର୍ଗଙ୍କୁ ସଂପତ୍ତିର ଏକ ପ୍ରମୁଖ ଅଂଶ ପ୍ରଦାନ କରାଯିବ। ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ୫୦ ହଜାର ଟଙ୍କା ବଳକା ରହିବ, ସେଥିରୁ ୨୦ ହଜାର ଟଙ୍କା ପିତାମାତାଙ୍କୁ ଓ ଅବଶିଷ୍ଟ ୩୦ ହଜାର ଟଙ୍କା ତାଙ୍କ ଗାଁ ବିରାମଗାମ୍‌ରେ ଥିବା ଗୋଶାଳାକୁ ପ୍ରଦାନ କରିବାକୁ ହାର୍ଦ୍ଦିକ ନିଜର ଇଚ୍ଛାପତ୍ରରେ ଘୋଷଣା କରିଛନ୍ତି। ଏଥିସହ ମୁତ୍ୟୁପରେ ତାଙ୍କ ଆଖି ଦୁଇଟିକୁ ମଧ୍ୟ ଦାନ କରିଦେବା ପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ ଆଉ ୨୪ରୁ ୪୮ ଘଣ୍ଟା ମଧ୍ୟରେ ମୁଁ କଥା କହିବା ପାଇଁ ସମର୍ଥ ନଥିବି। ସେଥିପାଇଁ ମୁଁ ମୋ ଶେଷ ଇଚ୍ଛାପତ୍ରକୁ ସାର୍ବଜନୀନ କରିଦେବାକୁ ଉଚିତ୍‌ ମନେକଲି।

ହାର୍ଦ୍ଦିକଙ୍କ ସ୍ୱାସ୍ଥାବସ୍ଥା କ୍ରମେ ଗୁରୁତର ହେଉଥିବା ଜାଣିବା ପରେ କଂଗ୍ରେସ, ଏନ୍‌ସିପି, ଟିଏମ୍‌ସି, ଆର୍‌ଜେଡି ଓ ଆପ୍‌ର ବହୁ ନେତା ତାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବା ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପତ୍ର ଲେଖି ହାର୍ଦ୍ଦିକଙ୍କ ଦାବି ମାନି ନେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର