ତେଲେଙ୍ଗାନା, ୟୁପି ପରେ ତ୍ରିପୁରା, ନାବାଳିକାକୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ
ଟଙ୍କା ପାଇଁ ପୁରୁଷ ବନ୍ଧୁ ୨ ମାସ ଧରି ଅଟକ ରଖିଥିଲା
ଅଗରତାଲା: ହାଇଦ୍ରାବାଦ ଏବଂ ଉନ୍ନାଓ ଗଣଦୁଷ୍କର୍ମ ମାମଲା ଦେଶ ବ୍ୟାପୀ କ୍ରୋଧ, ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଆଜି ତ୍ରିପୁରାରେ ପୁଣି ଗଣଦୁଷ୍ମର୍ମ ଓ ଜିଅନ୍ତା ପୋଡ଼ି ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷ ବୟସର ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ କେତେକ ଯୁବକ ଅନେକ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ଜିଅନ୍ତା ଜାଳି ଦେଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ପୀଡ଼ିତାଙ୍କୁ ଡାକ୍ତରଖାନାରେ ଶନିବାର ଭର୍ତ୍ତି କରାଯିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ନିଆଁ ଲଗାଇ ଦିଆଯିବା ପରେ ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଦକ୍ଷିଣ ତ୍ରିପୁରାର ଶାନ୍ତିବଜାର ଅଞ୍ଚଳରେ ପୀଡ଼ିତାଙ୍କ ଶରୀରରେ ତାଙ୍କ ପୁରୁଷ ବନ୍ଧୁ ଓ ତା’ର ମା’ ମିଶି ଶୁକ୍ରବାର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତର ପଡ଼ୋଶୀମାନେ ପୀଡ଼ିତାକୁ ଉଦ୍ଧାର କରି ଜି ବି ପନ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନାବାଳିକାକୁ ଟଙ୍କା ପାଇଁ ପୁରୁଷ ବନ୍ଧୁଙ୍କ ଦ୍ବାରା ଦୁଇ ମାସ ଧରି ଅଟକ ରଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଲୋକେ ଡାକ୍ତରଖାନା ସମ୍ମୁଖରେ ଭିଡ଼ ଜମାଇବା ସହିତ ଅଭିଯୁକ୍ତ ଯୁବକ ଏବଂ ତା’ର ମାଆକୁ ଆକ୍ରମଣ କରିଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅଜୟ ରୁଦ୍ରପାଳ ଝିଅକୁ ମୁକ୍ତ କରିବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲା। କିନ୍ତୁ ସେମାନେ ଶୁକ୍ରବାର ୧୭ ହଜାର ଟଙ୍କା ଦେବାକୁ ସମର୍ଥ ହୋଇଥିଲେ। ଏଥିରେ ଅଜୟ ଉତ୍କ୍ଷିପ୍ତ ହୋଇ ଝିଅକୁ ନିଆଁ ଲଗାଇ ଦେଇଛି ବୋଲି ପରିବାର ସଦସ୍ୟମାନେ କହିଛନ୍ତି। ଦକ୍ଷିଣ ତ୍ରିପୁରା ଏସ୍ପି ଜଲ ସିଂହ ମୀନା କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଅଜୟକୁ ଡାକ୍ତରଖାନାରୁ ଗରିଫ କରାଯାଇଛି। ପରେ ତାକୁ ଶାନ୍ତି ବଜାର ଥାନାକୁ ନିଆଯାଇଛି। ନାବାଳିକାକୁ ଅଭିଯୁକ୍ତ ଶୁକ୍ରବାର ସଂଧ୍ୟାରେ ପେଟ୍ରୋଲ ପକାଇ ନିଆ ଲଗାଇଥିଲା ଏବଂ ଏହାର ତଦନ୍ତ ଜାରି ରହିଛି ବୋଲି ଏସ୍ପି କହିଛନ୍ତି। ପୁଲିସ୍ର କହିବାନୁଯାୟୀ, ଅଭିଯୁକ୍ତ ସହ ନାବାଳିକାର ସମ୍ପର୍କ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା। ଦୀପାବଳି ପରେ ଝିଅ ଘରକୁ ଅଭିଯୁକ୍ତ ଆସି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଅଭିଯୁକ୍ତ ସହ ଝିଅ ଘରୁ ଲୁଚି ପଳାଇଥିଲା। କିନ୍ତୁ ଏହାପରେ ନାବାଳିକାକୁ ଅଭିଯୁକ୍ତ ଅଟକ ରଖି ଟଙ୍କା ଦାବି କରିଥିଲା। ଏହି ସମୟରେ ନାବାଳିକାକୁ ଅଭିଯୁକ୍ତ ସମେତ ତା’ର ଅନ୍ୟ ପୁରୁଷ ବନ୍ଧୁମାନେ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅ ଯେତେବେଳେ ନିଖୋଜ ହେଲା ସେହି ସମୟରେ ପୁଲିସରେ ଅଭିଯୋଗ କରାଯାଇଥିଲା। କିନ୍ତୁ ପୁଲିସ ଏ ନେଇ କୌଣସି ଗୁରୁତ୍ବ ଦେଇନଥିଲା। ଝିଅକୁ ଅତି ଅମାନୁଷିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବାରୁ ସରକାର ଆମକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।