ମୁମ୍ବାଇ: ମୁମ୍ବାଇର କମଳା ମିଲ୍ସ କମ୍ପାଉଣ୍ଡ୍ରେ ଅବସ୍ଥିତ ୨ଟି ରେସ୍ତୋରାଁରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ପ୍ରାଣହାନି ହେବାପରେ ଆଜି ମୁମ୍ବାଇ ମହାନଗରପାଳିକାର ନିଦ ଭାଙ୍ଗିଛି। କମଳା ମିଲ୍ପ କମ୍ପାଉଣ୍ଡରେ ଥିବା ଓ୍ଵାନ୍ ଏବଭ ରେସ୍ତୋରାଁ ଏବଂ ମୋଜୋ ପବ୍ରେ ଘଟିଥିବା ଅଗ୍ନିକାଣ୍ଡ ପାଇଁ ସୁରକ୍ଷାରେ ଥିବା ତ୍ରୁଟି ହିଁ ଦାୟୀ ବୋଲି ସ୍ପଷ୍ଟ ହୋଇଯିବା ପରେ ଜବରଦଖଲ କରି ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଅଭିଯାନ ଆରମ୍ଭ କରିଛି। ଶିବ ସେନା ନେତୃତ୍ୱରେ ପରିଚାଳିତ ମୁମ୍ବାଇ ମହାନଗରପାଳିକା ସହରରେ ସମସ୍ତ ରେସ୍ତୋରାଁଗୁଡ଼ିକରେ ଅଗ୍ନି ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୬ଟି ସ୍ଥାନରେ ବେଆଇନ ନିର୍ମାଣ ଆଜି ଭାଙ୍ଗି ଦେଇଛନ୍ତି। ଏହି ପ୍ରକ୍ରିୟାରେ ଅନେକ ପ୍ରତିଷ୍ଠାନ ମାଟିରେ ମିଶିବା ସ୍ପଷ୍ଟ ହୋଇଛି। ଅଗ୍ନିକାଣ୍ଡର ଶିକାର ‘ ଓ୍ଵାନ୍ ଏବଭ୍’ ରେସ୍ତୋରାଁର ଦୁଇଜଣ ମାଲିକ ହିତେଶ ସାଙ୍ଗଭି ଏବଂ ଜିଗର ସାଙ୍ଗଭିଙ୍କ ବିରୋଧରେ ପୁଲିସ ଲୁକ୍ ଆଉଟ୍ ନୋଟିସ ଜାରି କରଛନ୍ତି। ରବିବାର ରାତିରେ ସହରର ସବୁ ରେସ୍ତୋରାଁଗୁଡ଼ିକରେ ଜିରୋ ନାଇଟ୍ ପାର୍ଟିର ଆରମ୍ଭ ପୂର୍ବରୁ ରେସ୍ତୋରାଁଗୁଡ଼ିକର ଅଗ୍ନି ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଏମ୍ସି ମୁଖ୍ୟ ଅଜୟ ମେହଟା କହିଛନ୍ତି। କମଳା ମିଲ୍ସ କମ୍ପାଉଣ୍ଡରେ ସୁରକ୍ଷା ଦିଗରେ ହୋଇଥିବା ବ୍ୟତିକ୍ରମ ପ୍ରତି ମୁମ୍ବାଇ ନଗର ନିଗମ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ ହେବାବରେ ଗତକାଲି ବିଏମ୍ସିର ୬ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମୁମ୍ବାଇରେ ସମୁଦାୟ ୮୦୦୦ ରେସ୍ତୋରାଁ ରହିଥିବା ଜଣାପଡ଼ିଛି ।