୧୦୪ ଦିନପରେ ସ୍ୱାଭାବିକ ହେଲା ଦାର୍ଜିଲିଂ

ଦାର୍ଜିଲିଂ : ସ୍ୱତନ୍ତ୍ର ଗୋର୍ଖାଲାଣ୍ଡ୍‌ ଦାବିରେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା (ଜିଜେଏମ୍‌) ପକ୍ଷରୁ ଦୀର୍ଘ ୧୦୪ ଦିନର ଦାର୍ଜିଲିଂ ବନ୍ଦ ପରେ ଆଜି ସହର ସ୍ୱାଭାବିକ ସ୍ଥିତିକୁ ଆସିଛି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅନୁରୋଧ କ୍ରମେ ବନ୍ଦ ପ୍ରତ୍ୟାହାର କରାଯାଇଛି। ଜୁନ୍‌ ୧୫ ତାରିଖରୁ ବନ୍ଦ ରହିଥିବା ସହରର ସମସ୍ତ ଦୋକାନ ବଜାର ଗୁଡ଼ିକ ଆଜି ଅନେକ ଦିନ ପରେ ଖୋଲିଛି। ରାଜନାଥ ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଏକ ଅଫିସ ସ୍ତରୀୟ ବୈଠକ ବସାଇବାରପାଇଁ ସଂଘ ଗୃହ ସଚିବଙ୍କୁ କହିଛନ୍ତି। ଦୁର୍ଗା ପୂଜା ଅବସରରେ ସହରର ସମସ୍ତ ଲୋକ ପରସ୍ପର ମଧ୍ୟରେ ମିଠା ଏବଂ ଚକୋଲେଟ୍‌ ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି। ବସ୍‌ ଏବଂ ଯାନବାହନ ଗୁଡ଼ିକ ମଧ୍ୟ ପୂର୍ବପରି ଚାଲିବା ଆରମ୍ଭ କରିଛି। ଟୁର ଅପରେଟର ଏବଂ ହୋଟେଲ ଓନରମାନେ ସହରରେ ପର୍ଯ୍ୟଟନ ବ୍ୟବସାୟ ଖୁବ୍‌ ଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଆସିବ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର