ହ୍ବାଟ୍ସଆପ୍‌ ଯୋଗୁଁ ୨୦ ବର୍ଷ ପରେ ପରିବାର ଫେରିପାଇଲେ

ବେଙ୍ଗାଲୁରୁ : ୨୦ ବର୍ଷ ଧରି ନିଜ ପରିବାରଠୁ ଦୂରରେ ରହିଥିବା ଜଣେ ବ୍ୟକ୍ତି ଏକ ହ୍ବାଟ୍ସଆପ୍‌ ମେସେଜ୍‌ ଯୋଗୁଁ ପୁଣିଥରେ ନିଜ ପରିବାର ସଦସ୍ୟଙ୍କୁ ଫେରି ପାଇଛନ୍ତି। ରାଜସ୍ଥାନର ୪୮ ବର୍ଷୀୟ ବ୍ୟକ୍ତି ମହାବୀର ସିଂହ ଚୌହାନ ୧୯୯୮ ମସିହାରେ ପରିବାର ଛାଡ଼ି ଚାଲି ଯାଇଥିଲେ। ତାଙ୍କ ଘର ରାଜସ୍ଥାନର ଜାଲୋର ଜିଲ୍ଲା ସ୍ଥିତ ଝାବ୍‌ ଗ୍ରାମରେ। ବ୍ୟବସାୟରେ ପ୍ରବଳ କ୍ଷତି ହେବାପରେ ସେ ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେତେବେଳେ ମହାବୀରଙ୍କ ପୁଅ ପ୍ରଦ୍ୟୁମ୍ନଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ମହାବୀରଙ୍କ ବାପା ଗଣପତ ସିଂହ‌ ଚୌହାନ୍‌ ତାଙ୍କୁ ଯେତେ‌ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। କିନ୍ତୁ ଏବେ ମହାବୀର ତାଙ୍କ ପୁଅ ପ୍ରଦ୍ୟୁମ୍ନ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହ ମିଶିପାରିଛନ୍ତି। ମହାବୀର ବେଙ୍ଗାଲୁରୁରେ ରହୁଥିବା ବେଳେ ତାଙ୍କର କିଛି ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇଥିଲା। ସେମାନଙ୍କ ସହ ନିଜ ପରିବାରର ସବୁ କଥା ସେୟାର କରିଥିଲେ ଏବଂ କାହିଁକି ବେଙ୍ଗାଲୁରୁ ଚାଲି ଆସିଛନ୍ତି ତାହା ମଧ୍ୟ କହିଥିଲେ। ତେବେ ଗତ ଶନିବାର ମହାବୀରଙ୍କୁ ଦୋଦ୍ଦାବଲ୍ଲାପୁରାରେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କର ବନ୍ଧୁ ରବି ଏବଂ କିଶୋର କୁମାର। ସେମାନେ ମହାବୀରଙ୍କ ଫଟୋ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ପକାଇଥିଲେ। ଫଳରେ ମହାବୀରଙ୍କ ପୁଅ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏ ବାବଦରେ ମହାବୀରଙ୍କୁ କିଛି ଜଣାଯାଇନଥିଲା। ଗତ ରବିବାର ମହାବୀରଙ୍କ ପୁଅ ପ୍ରଦ୍ୟୁମ୍ନ ଆସି ମହାବୀରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

ସମ୍ବନ୍ଧିତ ଖବର