ସ୍ୱାଧୀନତା ଦିବସ ପୂର୍ବରୁ ୩୦ ଭାରତୀୟ କଏଦୀଙ୍କୁ ଛାଡ଼ିଲା ପାକିସ୍ତାନ;୩୬ ବର୍ଷ ପରେ ଫେରିଲେ ଗଜାନନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ୨୭ ମତ୍ସ୍ୟଜୀବୀଙ୍କ ସମେତ ୩୦ ଜଣ ଭାରତୀୟ କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରିଛି। ଆସନ୍ତା କାଲି ସ୍ୱାଧୀନତା ଦିବସ ଥିବାରୁ ପାକିସ୍ତାନ ଆଜି ଏଭଳି ଏକ ଭଲ ପଦକ୍ଷେପ ନେଇଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈସାଲ କହିଛନ୍ତି ଯେ ସ୍ୱାଧୀନତା ଦିବସ ପାଇଁ ମାନବିକତା ଦୃଷ୍ଟି କୋଣରୁ ୩୦ ଭାରତୀୟ କଏଦୀଙ୍କୁ ମୁକ୍ତ କରାଯାଇଛି। ତେବେ ଭାରତ ମଧ୍ୟ ଅନୁରୂପ ଭାବେ ପଦକ୍ଷେପ ନେବା ଉଚିତ୍‌ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଜେଲ୍‌ରେ ଏବେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ସମୁଦାୟ ୪୭୦ ଜଣ ଅଟକ ରହିଥିବା ଗତ ଜୁଲାଇ ମାସରେ ସୁପ୍ରିମକୋର୍ଟରେ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ୩୦ ଭାରତୀୟଙ୍କ ମଧ୍ୟରେ ଗଜାନନ୍ଦ ଶର୍ମା ନାମକ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଦୀର୍ଘ ୩୬ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଛନ୍ତି। ଦୀର୍ଘ ୩୬ ବର୍ଷ ପୂର୍ବେ ଜୟପୁର ସ୍ଥିତ ତାଙ୍କ ଘରୁ ସେ ନିଖୋଜ ହୋଇଯାଇଥିଲେ। ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। କିନ୍ତୁ ଦୀର୍ଘ ୩ ଦଶନ୍ଧି ପରେ ଲାହୋର କ୍ୟାପିଟାଲ୍‌ ଜେଲ୍‌ରେ ଗଜାନନ୍ଦଙ୍କୁ ଚିହ୍ନଟ କରାଗଲା ଏବଂ ସେ ଇଣ୍ଡୋ-ପାକ୍‌ ସୀମା ଅତିକ୍ରମ କରି ତାଙ୍କ ଘରକୁ ଫେରିଛନ୍ତି। ଗଜାନନ୍ଦ ନିଖୋଜ ହୋଇଥିବା ସମୟରେ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ଏବେ ତାଙ୍କୁ ୬୮ ବର୍ଷ। ଇତି ମଧ୍ୟରେ ଏକ ଲମ୍ବାଯାତ୍ରା ଅତିକ୍ରମ ହୋଇ ସାରିଛି। ତେବେ ଗଜାନନ୍ଦ ବଞ୍ଚିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ହିଁ ଜାଣିଲେ। ଜୟପୁର ଏସ୍‌ପି କାଗଜପତ୍ର ସହ ଗଜାନନ୍ଦଙ୍କ ନାଗରିକତ୍ୱ କାଗଜପତ୍ର ସମୀକ୍ଷା ପାଇଁ ଆସିବାପରେ ସେମାନେ ଗଜାନନ୍ଦ ଲାହୋର ଜେଲ୍‌ରେ ଥିବା କଥା ଜାଣି ପାରିଥିଲେ।

ସମ୍ବନ୍ଧିତ ଖବର