ଏମ୍‌ସ ବାହାରେ ବୁଲିଲେ ଜଗା ବଳିଆ

ଡିସ୍‌ଚାର୍ଜ ପାଇଁ ଡାକ୍ତରଙ୍କ ଯୋଜନା

ବାପା-ମାଆଙ୍କ ବିରୋଧ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ  ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ଏମ୍ସ କର୍ତ୍ତୁପକ୍ଷ ଯୋଜନା କରୁଥିବା ସୂଚନା ମିଳିଛି। ଉଭୟ ଶିଶୁଙ୍କ ଡିସ୍‌ଚାର୍ଜ ନେଇ ସେମାନଙ୍କ ବାପା-ମା’ ଅସହମତି ପ୍ରକାଶ କରୁଥିବା ବେଳେ ଏନେଇ ସେମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଖବର ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଅର୍ଥାତ୍‌ ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟରେ ଦୃତ ଉନ୍ନତି ଘଟୁଛି ଏବଂ ବର୍ତ୍ତମାନ ସେ ପ୍ରାୟ ୯୮ ପ୍ରତିଶତ ଭଲ ହୋଇସାରିଥିବା ଡାକ୍ତରୀ ଦଳ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ତିନିଟି ପର୍ଯ୍ୟାୟରେ ଜଗାର ମୁଣ୍ଡରେ ଚର୍ମ ପ୍ରତିରୋପଣ ସଫଳ ହୋଇଛି। ବର୍ଷକ ପରେ ତା’ ମୁଣ୍ଡରେ ଖୁପୁରି ହାଡ଼ ଲଗାଯିବାକୁ ଥିବାରୁ ସେ ଏବେ ଆଉ ଡାକ୍ତରଖାନାରେ ରହିବାର କୌଣସି ଆବଶ୍ୟକତା ନଥିବା ଡାକ୍ତରୀ ଦଳ କହିଛନ୍ତି।

ଜଗା ପ୍ରତିଦିନ ସକାଳେ ଏମ୍ସ ପରିସରରେ ନର୍ସମାନଙ୍କ ସହିତ ମର୍ଣ୍ଣିଂ ଓ୍ଵାକ୍‌ ଓ ବ୍ୟାୟାମ କରୁଛି। ତା’ର ସମସ୍ତ ଗତିବିଧି ସାଧାରଣ ଥିବାରୁ ଓ ବିଦେଶୀ ବିଶେଷଜ୍ଞଙ୍କ ପରାମର୍ଶ ମୁତାବକ କୌଣସି ଜଟିଳତା ଉତ୍ପନ୍ନ ହେବାର ସମ୍ଭାବନା ନଥିବାରୁ ତାକୁ ଡିସଚାର୍ଜ କରିବାରେ କୌଣସି ଅସୁବିଧା ନଥିବା ଜଣାପଡ଼ିଛି। କିନ୍ତୁ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସେଭଳି କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଯଦିଓ ସେ ଆଖି ଖୋଲୁଛି ଓ ବେଳେ ବେଳେ ହାତଗୋଡ଼ ହଲାଉଛି ତେବେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ୬ ମାସ ସମୟ ଲାଗିପାରେ ବୋଲି ଡାକ୍ତର କହିଛନ୍ତି। ଏବେ ସୁଦ୍ଧା ବଳିଆକୁ ନାକବାଟେ ତରଳ ପଦାର୍ଥ ଖାଇବାକୁ ଦିଆଯାଉଛି ଯାହା ଏମ୍ସ ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜଗା-ବଳିଆଙ୍କୁ ଡିସ୍‌ଚାର୍ଜ କରାଯାଇ ଭୁବନେଶ୍ୱର ଏମ୍ସ କିମ୍ବା କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ବିକଳ୍ପକୁ ନେଇ ଦିଲ୍ଲୀ ଏମ୍ସ କର୍ତ୍ତୁପକ୍ଷ ତିନି ଚାରି ରାଉଣ୍ଡ ବିଚାର ବିମର୍ଶ କରିସାରିଥିବା ଜଣାପଡ଼ିଛି।

ତେବେ ବଳିଆର ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଅବଶ୍ୟକ ଉପକରଣ ଯଥା ସୁପର ସ୍ପେସିଆଲିଟି ବ୍ୟବସ୍ଥା ଓଡ଼ିଶାରେ ନଥିବାରୁ କିଛି ଡାକ୍ତର ବର୍ତ୍ତମାନ ପରିସ୍ଥିତିରେ ବଳିଆର ସ୍ଥାନାନ୍ତର କଥାରେ ଏକମତ ନଥିବା ଜଣାପଡ଼ିଛି। ଚିକତ୍ସାର ସମ୍ପୂର୍ଣ୍ଣ ଅର୍ଥ ରାଜ୍ୟ ସରକାର ବହନ କରୁଥିବାରୁ ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଜାରି ରଖିବା ପାଇଁ ଜଗା-ବଳିଆଙ୍କ ବାପା ମା’ ଅଡ଼ି ବସିଛନ୍ତି।

ଉଲ୍ଲେଖଯୋଗ୍ୟ, ଜଗା-ବଳିଆ ଗତ ବର୍ଷ ଜୁଲାଇ ୧୪ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର