ପୁଣି ଲେଉଟୁଛି ‘ବାୟୁ’, କଚ୍ଛରେ ମାଡ଼ ହେବ
ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଏବେ ପୁଣିଥରେ ଗୁଜରାଟ ଫେରିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ‘ବାୟୁ’ ଗୁଜରାଟ ଫେରି ୧୭ କିମ୍ବା ୧୮ ତାରିଖରେ କଚ୍ଛରେ ମାଡ଼ ହେବ। ବାତ୍ୟା ‘ବାୟୁ’ ଗୁଜରାଟ ଆଉ ବିପଦର କାରଣ ହେବନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଆଇଏମ୍ଡି ପକ୍ଷରୁ ଏହି ସୂଚନା ଜାରି ହୋଇଛି। ତେବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଫେରନ୍ତା ବାତ୍ୟାର ପ୍ରଭାବ ପୂର୍ବଭଳି ରହିବନି। ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ସାଧାରଣ ସାମୁଦ୍ରିକ ଝଡ଼ ଭାବେ ମାଡ଼ ହେବ। ଏହାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାୟୁ ଏବେ ଡିୟୁଠାରୁ ୩୯୦ କିମି ଦୂର ଏବଂ ପୋରବନ୍ଦରଠାରୁ ୨୮୦ କିମି ଦୂରରେ ଅଛି। ଗୁଜରାଟ ମୁଖ୍ୟ ସଚିବ ଜେଏନ୍ ସିଂହ କହିଛନ୍ତି, ଏ ବାବଦରେ ଉଚ୍ଚସ୍ତରୀୟ ବୈଂକରେ ସ୍ଥିତି ସମୀକ୍ଷା କରାଯାଇଛି ଏବଂ ଏନ୍ଡିଆରଏଫ୍ ଦଳ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଗୁଜରାଟରେ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ପୂର୍ବରୁ ବାୟୁ ପୋରବନ୍ଦର ଏବଂ ଭେରାବାଲ୍ ଦେଇ ସ୍ଥଳଭାଗରେ ମାଡ଼ ହେବାର ଥିଲା। ଗୁଜରାଟ ସରକାର ଏନେଇ ବ୍ୟାପକ ପ୍ରସ୍ତୁତି କରିଥିଲେ। ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସ୍କୁଲ୍ କଲେଜ୍ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଆଜି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପୋରବନ୍ଦର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ଲାଗି ରହିଥିବାରୁ ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି।