କଠୁଆ ପରେ ଉନ୍ନାଓ: ପୁଣି ଅଡ଼ୁଆରେ ବିଜେପି

ଲକ୍ଷ୍ନୌ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଉନ୍ନାଓ ଗଣଦୁଷ୍କର୍ମ ମାମଲା ଆଜି ଏକ ଭିନ୍ନ ମୋଡ଼ ନେଇଛି। ଆଜି ଉନ୍ନାଓରେ ପୁଣିଥରେ କଠୁଆ ସ୍ଥିତି ସୃଷ୍ଟି ହୋଇଛି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଯେଭଳି ଅଭିଯୁକ୍ତଙ୍କ ସମର୍ଥନରେ ହିନ୍ଦୁ ଏକତା ମଞ୍ଚ ଦ୍ୱାରା ର‍୍ୟାଲି ହୋଇଥିଲା ଆଜି ଉନ୍ନାଓରେ ମଧ୍ୟ ଅଭିଯୁକ୍ତ ବିଧାୟକଙ୍କୁ ସମର୍ଥନ କରି ବିଜେପି ସମର୍ଥକମାନେ ଅନୁରୂପ ର‍୍ୟାଲି କରିଛନ୍ତି। ଆଜି ବାଙ୍ଗରମାଉ, ସଫିପୁର, ବିଘାପୁର ଏବଂ ନିକଟସ୍ଥ ଅଞ୍ଚଳର ଶହ ଶହ ଲୋକ ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସମର୍ଥନରେ ଏକ ବିଶାଳ ଜନ ସମାବେଶ କରିବା ପରେ ପୁଣିଥରେ ବିଜେପି ହରଡ଼ଘଣାରେ ପଡ଼ିଛି। ନଗର ପଞ୍ଚାୟତ ସଭାପତି ଅନୁଜ କୁମାର ଦିକ୍ଷୀତଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ଏହି ର‍୍ୟାଲିର ଅଂଶଗ୍ରହଣକାରୀମାନେ ‘ଆମ ବିଧାୟକ ନିର୍ଦ୍ଦୋଷ’ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇଥିଲେ। ଦିକ୍ଷୀତ କହିଛନ୍ତି ବିଜେପି ବିଧାୟକଙ୍କୁ ଅପମାନିତ କରିବାପାଇଁ ଏହା କେବଳ ଏକ ଷଡ଼ଯନ୍ତ୍ର। ଉଲ୍ଲେଖଯୋଗ୍ୟ ୟୁପିର ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ଉନ୍ନାଓର ଜଣେ ୧୭ବର୍ଷୀୟା ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏବେ ଗିରଫ ହୋଇ ସିବିଆଇ ହାଜତରେ ଅଛନ୍ତି। ବିଧାୟକଙ୍କ ଭାଇ ଅତୁଲ ସିଂ ସେଙ୍ଗର ମଧ୍ୟ ପୀଡ଼ିତା ବାପାଙ୍କ ହାଜତ ମୃତ୍ୟୁ ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି। ନିକଟରେ ୟୁପି ସରକାର ବିଜେପି ବିଧାୟକ ସେଙ୍ଗରଙ୍କ ଓ୍ଵାଇ ଶ୍ରେଣୀର ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି।

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ
ଫାଶୀଦଣ୍ଡ ନିଷ୍ପତ୍ତି ପୂର୍ବରୁ ହୋଇଥିଲା କି ଅନୁଧ୍ୟାନ
ନୂଆଦିଲ୍ଲୀ: ଶିଶୁ ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯିବା ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଆଇନ୍‌ରେ ସଂଶୋଧନକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାର କ’ଣ ସବୁ ଅଧ୍ୟୟନ କରିଛନ୍ତି ବୋଲି ହାଇକୋର୍ଟ ପଚାରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଓ ଜଷ୍ଟିସ୍‌ ସି.ହରିଶଙ୍କରଙ୍କ ଖଣ୍ଡପୀଠ ୨୦୧୩ ମସିହାରେ ଆପରାଧିକ ଆଇନ୍‌ (ସଂଶୋଧନ)କୁ ବିରୋଧ କରି ଦାୟର ହୋଇଥିବା ଏକ ପୁରୁଣା ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାର ବୈଜ୍ଞାନିକ ଉପାୟରେ ଏହାର ତର୍ଜମା କରିଥିଲେ କି? ଯେତେବେଳେ ଦୁଷ୍କର୍ମ ଓ ହତ୍ୟା ମାମଲାର ସମାନ ଦଣ୍ଡ ପାଇଁ ବ୍ୟବସ୍ଥା ହେଉଛି ସେତେବେଳେ କେତେଜଣ ଏଭଳି ଅପରାଧୀ ଅଛନ୍ତି ଯେଉଁମାନେ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଛାଡିଦେବେ? ଏଭଳି ସ୍ଥିତିରେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ରହୁଥିବା କୋର୍ଟ କହିଛନ୍ତି।

କଠୁଆ ଦୁଷ୍କର୍ମ ଘଟଣା
ବିଜେପି ନିର୍ଦ୍ଦେଶରେ ଯାଇଥିଲେ ଦୁଇ ମନ୍ତ୍ରୀ: ନିର୍ମଳ ସିଂହ

ଶ୍ରୀନଗର: ବହୁଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମନ୍ତ୍ରୀ ଅଭିଯୁକ୍ତଙ୍କୁ ସମର୍ଥନ କରିବା ଘଟଣାରେ ଦଳୀୟ ନିର୍ଦ୍ଦେଶ ଥିବା ସ୍ପଷ୍ଟ ହୋଇଛି। ଆଜି ଜମ୍ମୁ-କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନିର୍ମଳ ସିଂହ କହିଛନ୍ତି ଯେ, ର‍୍ୟାଲି ଓ ଆନ୍ଦୋଳନ ଚାଲିଥିବାରୁ ସ୍ଥିତି ସମ୍ଭାଳିବାକୁ ସେମାନଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେଠାରେ ମନ୍ତ୍ରୀଙ୍କ ଉପସ୍ଥିତିର ଭୁଲ ଅର୍ଥ ବାହାର କରି ସେମାନେ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ବିଜେପି ନେତା ସି.ପି.ଗଙ୍ଗ ଓ ଲାଲ୍‌ ସିଂହ କଠୁଆ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯିବା ପରେ ସେମାନେ ଇସ୍ତଫା ଦେଇଥିଲେ।

ଡୁମ୍‌କାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଲକ୍ଷ୍ନୌ: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚୀଠାରୁ ୩୦୦ କିମି ଦୂର ଡୁମ୍‌କାରେ ଆଜି ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅତି ଅମାନୁଷିକ ଅତ୍ୟାଚାର କରିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତା ଜଣଙ୍କ ଏବେ ଡୁମ୍‌କାର ଏକ ଚିକିତ୍ସାଳୟରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ସୂଚନାନୁଯାୟୀ ରବିବାର ଦିନ ମଧ୍ୟରାତ୍ରିରେ ପୀଡ଼ିତା ଜଣଙ୍କ ଡୁମ୍‌କା ସ୍ଥିତ ତାଙ୍କ ଘରର ମୁଖ୍ୟଦ୍ୱାର ବନ୍ଦ କରୁଥିବା ସମୟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ବଳପୂର୍ବକ ଟେକିନେଇଥିଲେ ଏବଂ ନିକଟସ୍ଥ ଏକ ନିର୍ମାଣାଧୀନ କୋଠାରେ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଦୁଇ ଗୋଡ଼କୁ ବାନ୍ଧିଦେଇ ଏବଂ ପାଟିରେ ବାଲି ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ପୁଲିସ ପୀଡ଼ିତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଏବେ ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ
ଲକ୍ଷ୍ନୌ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ହରିୟାଣାରେ ମଧ୍ୟ ଠିକ୍‌ କଠୁଆ ଢଙ୍ଗରେ ଏକ ମନ୍ଦିର ପ୍ରାଙ୍ଗଣରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାପରେ ଦୁଷ୍କର୍ମକାରୀମାନେ ତାଙ୍କ ମୁଣ୍ଡକୁ ମନ୍ଦିର କାନ୍ଥରେ ପିଟି ମାରିଦେବାକୁ ଚେଷ୍ଟା କରିଥିଲେ । ହରିୟାଣାର ଯମୁନାନଗର ଅଞ୍ଚଳରେ ପୀଡ଼ିତା ତାଙ୍କ ଘରେ ଅନ୍ୟ ଭାଇ ଭଉଣୀଙ୍କ ସହ ଶୋଇଥିବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କ ଘର ଭିତରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ଅପହରଣ କରିନେଇଥିଲେ ଏବଂ ନିକଟସ୍ଥ ମନ୍ଦିରରେ ଗଣଦୁଷ୍କର୍ମ କରିବାପରେ ତାଙ୍କୁ ଫୋପାଡ଼ି ଦେଇଥିଲେ। ପଡ଼ୋଶୀମାନେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରୁ ଉଦ୍ଧାର କରିବାପରେ ପୁଲିସରେ ଖବର ଦେଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଏବେ ପୁଲିସରେ ଏଫଆଇଆର ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର