ମି ଠୁ ଅଭିଯାନ, ଫସିଲେ ଆଉଜଣେ ବିଜେପି ନେତା

ଉତ୍ତରାଖଣ୍ଡ ବିଜେପି ସାଧାରଣ ସମ୍ପାଦକ ବହିଷ୍କୃତ

ଡେରାଡୁନ: ମି ଠୁ ଅଭିଯାନରେ ଫସି ଆଉ ଜଣେ ବିଜେପି ନେତା ନିଜ ପଦ ହରାଇଛନ୍ତି। ଦଳର ଜଣେ ମହିଳା କାର୍ଯ୍ୟକର୍ତା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ତାଙ୍କୁ ତୁରନ୍ତ ତାଙ୍କ ପଦ ଓ କ୍ଷମତାରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡ ବିଜେପିର ସାଧାରଣ ସମ୍ପାଦକ ସଞ୍ଜୟ କୁମାରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯୌନ ଉତ୍ପୀଡ଼ନ ଅଭିଯୋଗରେ ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ବିଜେପି ତାଙ୍କ କ୍ଷେତ୍ରରେ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ସଞ୍ଜୟ କୁମାରଙ୍କ କ୍ଷେତ୍ରରେ ନିଜ ପୂର୍ବ ଭୁଲକୁ ନଦୋହରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। କୁମାରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବିଜେପିର ଏକ ବୈଠକରେ ଏ ବାବଦରେ ଆଲୋଚନା ହୋଇଥିଲା। ବୈଠକ‌ ପରେ ତାଙ୍କୁ ତୁରନ୍ତ ପଦରୁ ହଟାଯାଇଥିଲା। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ନିଷ୍ପତ୍ତି ପରେ କୁମାରଙ୍କୁ ଦିଲ୍ଲୀ ଡକାଯାଇ ଅବଗତ କରାଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କ ସ୍ଥାନରେ ଆଉ ଜଣେ ଦଳୀୟ ନେତାଙ୍କୁ ଉତ୍ତରାଖଣ୍ଡର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଡଜନେରୁ ଊର୍ଧ୍ବ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସାମ୍ବାଦିକ ଥିଲା ବେଳେ ଆକବର ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଯୁବ ସାମ୍ବାଦିକାଙ୍କୁ ହଇରାଣ କରୁଥିଲେ। ସାକ୍ଷାତକାର ବେଳେ ଏବଂ କାର୍ଯ୍ୟକ୍ଷେତ୍ରରେ ସେ ସାମ୍ବାଦିକାମାନଙ୍କୁ ଯୌନ ଶୋଷଣ କରୁଥିଲେ। ମି ଠୁ ଆନ୍ଦୋଳନରେ ସାମିଲ ହୋଇ ସମସ୍ତ ପୀଡ଼ିତା ମହିଳା ଆକବରଙ୍କ ବି‌ରୋଧ‌ରେ ସ୍ବର ଉଠାଇବା ପରେ ସେ ହରଡ଼ଘଣାରେ ପଡ଼ିଥିଲେ। ଶେଷରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ବିଜେପି ପକ୍ଷରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଯୋଗୁ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଶେଷରେ ଆକବର ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମୋ‌କଦ୍ଦମା କରିଥିଲେ। ମାମଲା ଏବେ ‌କୋର୍ଟରେ ବିଚାରାଧୀନ ଥିବା ବେଳେ ଆକବର ତାଙ୍କ ମନ୍ତ୍ରୀପଦ ହରାଇଛନ୍ତି।

ସମ୍ବନ୍ଧିତ ଖବର