ରାମ ମନ୍ଦିର ପାଇଁ ପୁଣି ‘ରଥ ଯାତ୍ରା’

ଅଯୋଧ୍ୟା: ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଅନ୍ତିମ ଶୁଣାଣି ଆରମ୍ଭ ହୋଇଛି। ଗୋଟିଏ ପଟେ ଅଖିଳ ଭାରତୀୟ ମୁସଲିମ୍‌ ଲ ବୋର୍ଡ ବାବରୀ ମସ୍‌ଜିଦର ସ୍ଥାନ କାହାରିକୁ ହସ୍ତାନ୍ତର କିମ୍ବା ବିକ୍ରି ହୋଇପାରିବନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଆରପଟେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହଯୋଗୀ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୨୦୧୯ ରାମ ନବମୀରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ ଯୋଜନା ଆରମ୍ଭ କରିଛି। ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ରାମ ମନ୍ଦିର ନିର୍ମାଣ ସକାଶେ ଅଯୋଧ୍ୟାର କରସେବକପୁରମ୍‌ ଠାରୁ ‘ରାମରାଜ୍ୟ ରଥଯାତ୍ରା’ର ଶୁଭାରମ୍ଭ କରାଯାଇଛି।
ରାମରାଜ୍ୟ ରଥଯାତ୍ରାର ଆୟୋଜକ ତଥା ସନ୍ଥ ରାମଦାସ ମିଶନ ୟୁନିଭର୍ସଲ୍‌ ସୋସାଇଟିର ଅଧ୍ୟକ୍ଷ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ କହିଛନ୍ତି ଯେ ଏହି ଯାତ୍ରା ଦେଶର ୭ଟି ରାଜ୍ୟ-ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁ ଦେଇ ଯାତ୍ରା କରିବ। ୪୧ ଦିନରେ ପ୍ରାୟ ୬ହଜାର କିଲୋମିଟର ଯାତ୍ରା କରି ମାର୍ଚ୍ଚ ୨୪ ତାରିଖରେ ରାମେଶ୍ୱରମ୍‌ରେ ଏହି ଯାତ୍ରା ଶେଷ ହେବ। ଯାତ୍ରା ଅବସରରେ ରାମ ମନ୍ଦିର ନିର୍ମାଣ ସହ ୫ଟି ଦାବି ସମ୍ବଳିତ ଏକ ଦାବିପତ୍ରରେ ୧୦ଲକ୍ଷ ଲୋକଙ୍କ ହସ୍ତାକ୍ଷର ସଂଗ୍ରହ କରାଯିବ। ଏହି ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୫ହଜାର ହିନ୍ଦୁ ସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ କହିଛନ୍ତି ଯେ ଦାବିପତ୍ରରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସହ ରବିବାର ପରିବର୍ତ୍ତେ ଗୁରୁବାରକୁ ସାପ୍ତାହିକ ଛୁଟି, ପାଠ୍ୟକ୍ରମରେ ରାମାୟଣକୁ ସ୍ଥାନିତ କରିବା, ବିଶ୍ୱ ହିନ୍ଦୁ ଦିବସ ଘୋଷଣା ଓ ରାମରାଜ୍ୟ ସ୍ଥାପନା ଆଦି ୫ଟି ବିଷୟ ସ୍ଥାନିତ ହୋଇଛି। ମାର୍ଚ୍ଚ ୨୪ ତାରିଖରେ ରାମେଶ୍ୱରମ୍‌ରେ ରଥ ପହଞ୍ଚିବା ପୂର୍ବରୁ ଥିରୁବନନ୍ତପୁରମ୍‌ ଠାରେ ବିଶ୍ୱ ରାମରାଜ୍ୟ ମହାସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ହିନ୍ଦୁ ଧର୍ମର ବିଭିନ୍ନ ସଂଗଠନର ପ୍ରତିନିଧି, ସନ୍ଥଙ୍କ ସହ ୧ଲକ୍ଷ ଲୋକ ଯୋଗ ଦେବା ଯୋଜନା ରହିଛି। ଏହାପରେ ପୁଣି ଏକ ରଥଯାତ୍ରା ରାମେଶ୍ୱରମ୍‌ ଠାରୁ ଆରମ୍ଭ ହୋଇ କଶ୍ମୀର ଦେଇ ୨୦୧୯ ରାମନବମୀରେ ଅଯୋଧ୍ୟାରେ ଶେଷ ହେବ ଏବଂ ସେହି ଦିନ ରାମମନ୍ଦିର ନିର୍ମାଣ ଭିତ୍ତି ସ୍ଥାପନ କରାଯିବ ବୋଲି ସ୍ୱାମୀ କୃଷ୍ଣାନନ୍ଦ କହିଛନ୍ତି।
ମହାରାଷ୍ଟ୍ରର ରାମଦାସ ୟୁନିଭର୍ସାଲ୍‌ ସୋସାଇଟି ଦ୍ୱାରା ଆୟୋଜିତ ଏହି ରଥଯାତ୍ରାକୁ ସମସ୍ତ ପରିବହନ ସହାୟତା ବିଶ୍ୱ ହିନ୍ଦୁ ପରିଷଦ ଯୋଗାଇଦେବ। ରଥ ସହ ଯାଉଥିବା ସନ୍ଥ ଓ କର୍ମକର୍ତ୍ତାଙ୍କୁ ବିଭିନ୍ନ ରାଜ୍ୟରେ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବିଭିନ୍ନ ହିନ୍ଦୁ ସଂଗଠନ ଯୋଗାଇଦେବେ। ଏହି ଯାତ୍ରାର ପରିଚାଳକ ଭାବେ ମହନ୍ତ ଶ୍ରୀଶକ୍ତି ସାନ୍ତାନନ୍ଦଙ୍କୁ ନିଯୁକ୍ତ କରାଯାଇଛି। ୧୯୯୦ ରଥଯାତ୍ରାର ପରିଚାଳକ ଥିଲେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହି ରଥଯାତ୍ରାର ଶୁଭାରମ୍ଭ କରିବାକୁ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରିତ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ କୌଣସି ବିଧିବଦ୍ଧ ସହମତି ମିଳିନଥିବାରୁ ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ମହାସଚିବ ଚମ୍ପତି ରାୟ ଏହି ଯାତ୍ରାର ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ, ୧୯୯୦ ସେପ୍ଟମ୍ବର ୨୫ରେ ଗୁଜରାଟର ସୋମନାଥ ଠାରୁ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦ୍ୱାରା ଆରମ୍ଭ ହୋଇଥିବା ରଥ ଯାତ୍ରାର ମୁଖ୍ୟ ପୁରୋଧା ଥିଲେ ଲାଲ କୃଷ୍ଣ ଆଧ୍ୱାନୀ। ଏହି ରଥ ୧୦ହଜାର କିମି ଭ୍ରମଣ କରି ସେହି ବର୍ଷ ଅକ୍ଟୋବର ୩୦ ତାରିଖରେ ଅଯୋଧ୍ୟାରେ ନିଜ ଯାତ୍ରା ଶେଷ କରିଥଲା। କରସେବକପୁରମ୍‌ରେ ରାମମନ୍ଦିର ପାଇଁ ନିର୍ମାଣଶାଳା ସ୍ଥାପନ କରାଯାଇଥିଲା। ୧୯୯୨ରେ କରସେବକଙ୍କ ଦ୍ୱାରା ବାବରୀ ମସ୍‌ଜିଦ୍‌ ଭଙ୍ଗାଯିବା ପରେ ସମଗ୍ର ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ସହସ୍ରାଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଭାରତୀୟ ଜନତା ପାର୍ଟିର ରାଜନୈତିକ ପତିଆରା ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର