ରାଞ୍ଚି: ଦିଲ୍ଲୀର ବୁରାଡ଼ି ଗଣ ଆତ୍ମହତ୍ୟା ଘଟଣା ଏବେ ଦେଶବାସୀଙ୍କ ମନରୁ ଲିଭି ନ ଥିବା ବେଳେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଆଉ ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରୋଗ ଏବଂ ଉତ୍କଟ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ସମସ୍ତେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ କୌଣସି ସ୍ପଷ୍ଟ ନିର୍ଯାସରେ ପହଞ୍ଚି ପାରିନାହିଁ। ପୁଲିସ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ମହାବୀର ମାହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରନ୍ ମାହେଶ୍ୱରୀ (୬୦), ପୁଅ ନରେଶ ମାହେଶ୍ୱରୀ (୪୦), ବୋହୂ ପ୍ରୀତି ମାହେଶ୍ୱରୀ (୩୫), ନାତି ଅମନ୍ (୧୦) ଏବଂ ନାତୁଣୀ ଅନବୀ (୭) ରହିଛନ୍ତି। ସହରରେ ବେଶ୍ ଜଣାଶୁଣା ଥିବା ଏହି ମାହେଶ୍ୱରୀ ପରିବାର ଫଳର ପାଇକାରୀ କାରବାର କରୁଥିଲେ। ସେମାନେ ହଜାରିବାଗର ଖଜାଞ୍ଚି ତଲାବ୍ ନିକଟସ୍ଥ ୪ ମହଲାବିଶିଷ୍ଟ ସିଡିଏମ୍ ଶୁଭମ୍ ଆପାର୍ଟମେଣ୍ଟର ତୃତୀୟ ମହଲା ଫ୍ଲାଟ୍ ନମ୍ବର ୩୦୩ରେ ରହୁଥିଲେ। ଆଜି ସମସ୍ତଙ୍କ ମୃତଦେହ ଫ୍ଲାଟରୁ ଠାବ ହେବାପରେ ସହରବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିବା ପରେ ୬ଟି ଧୂସର ରଙ୍ଗର ଲଫାପା ପାଇଥିଲା। ଏଥିରୁ ସୁଇସାଇଡ୍ ନୋଟ୍ ମିଳିଥିଲା। ଏଥିରେ ଲେଖା ଥିଲା ରୋଗ, ଦୋକାନ ବନ୍ଦ, ଋଣ, ଅବସାଦ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ମାହେଶ୍ୱରୀ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ଜଣାପଡୁଛି। କିନ୍ତୁ ଏହା କୌଣସି ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେଣୁ ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ହଜାରିବାଗ ଏସ୍ପି ମୟୂର ପଟେଲ୍ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ମୃତଦେହ ଉଦ୍ଧାର ପରେ ସେଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମାହେଶ୍ୱରୀ ପରିବାରର ପଡ଼ୋଶୀ ଭାବେ କିଛି ବର୍ଷ ଧରି ରହୁଥିବା ଓକିଲ କୈଳାସ ଅଗ୍ରଓ୍ଵାଲଙ୍କ କହିବାନୁସାରେ ତାଙ୍କ ପତ୍ନୀ ସକାଳ ୫ଟାରେ ଉଠିବା ପରେ ମାହେଶ୍ୱରୀ ପରିବାର ରହୁଥିବା ଘରର କବାଟ ଖୋଲା ଥିଲା। କବାଟ ସିଧା ଏକ ମୃତଦେହ ସିଲିଂ ଫ୍ୟାନ୍ରେ ଝୁଲୁଥିବା ଦେଖି ସେ ଚିତ୍କାର କରିଥିଲେ। ଏହାପରେ ପୁଲିସରେ ଖବର ଦିଆଯାଇଥିଲା। ଏସ୍ପି ପଟେଲ୍ କହିଛନ୍ତି ଯେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଫ୍ଲାଟ୍ର ମୁଖ୍ୟ ଫାଟକସ୍ଥିତ ଚଟାଣରେ ନରେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲୁ। ଏଥିରୁ ଅନୁମାନ କରାଯାଉଛି ଯେ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମୃତ ବୋଲି ସ୍ପଷ୍ଟ ହେବା ପରେ ନରେଶ ଛାତ ଉପରକୁ ଯାଇ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଘରର ସବୁଠୁ ବୟସ୍କ ବ୍ୟକ୍ତି ମହାବୀର ମାହେଶ୍ୱରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଇ ଘରେ ତାଙ୍କ ନାତି ଅମନ୍ର ମୃତଦେହ ଚଟାଣରେ ପଡ଼ିଥିଲା ବେଳେ ତାଙ୍କ ତଣ୍ଟି କଟାଯାଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅନ୍ୟ ଏକ ଘରୁ ମହାବୀରଙ୍କ ପତ୍ନୀ କିରନ୍ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ବୋହୂ ପ୍ରୀତିଙ୍କ ମୃତଦେହ ବେଡ୍ ଉପରେ ପଡ଼ିଥିଲା। ଅନ୍ୟପକ୍ଷରେ ୭ ବର୍ଷୀୟା ଅନବୀର ମୃତଦେହ ସୋଫା ଉପରେ ପଡ଼ିଥିବା ବେଳେ ତା’ ପାଟିରେ କପଡ଼ା ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି। ସୁଇସାଇଡ୍ ନୋଟ୍ରେ କୌଣସି ତୃତୀୟ ବ୍ୟକ୍ତିଙ୍କ ନାମ ନିଆଯାଇ ନାହିଁ କି କାହାକୁ ଦୋଷୀ ବୋଲି ଦର୍ଶାଯାଇ ନାହିଁ। ଫଳ ବ୍ୟବସାୟରେ ମୋଟା ଅଙ୍କର ଟଙ୍କା ବଜାରରେ ଫସିଯାଇଥିଲା। ଏହାକୁ ଅସୁଲ କରିବା କଷ୍ଟକର ହୋଇପଡ଼ିଥିଲା। ସେପଟେ ଘର ଉପରେ ଋଣ ଭାର ସୀମା ଟପିଯାଇଥିଲା। ଏହାକୁ ନେଇ ପୂରା ପରିବାର ସର୍ବଦା ଅବସାଦ ମଧ୍ୟଦେଇ ଗତି କରୁଥିଲା। ଫଳରେ ଆତ୍ମହତ୍ୟା କରିବାକୁ ପରିବାର ବାଧ୍ୟ ହେଲା ବୋଲି ଦର୍ଶାଯାଇଛି।