ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ହାଫିଜ୍‌

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍‌୍‌ ଦାଓ୍ଵାର ମୁଖିଆ ହାଫିଜ୍‌ ସୟିଦ ଭାରତ ବିରୋଧରେ ପୁଣି ବିଷୋଦଗାର କରିଛି। କଶ୍ମୀରକୁ ଖୁବ୍‌ ଶୀଘ୍ର ଭାରତ ହାତରୁ ଛଡ଼ାଇ ନେବାକୁ ଜୋରଦାର ଆନ୍ଦୋଳନ ଏବଂ କଶ୍ମୀରୀ ଯୁବକ ନିର୍ଣ୍ଣାୟକ ଲଢ଼େଇରେ ସାମିଲ ହେବେ ବୋଲି ସେ କହିଛି। କଶ୍ମୀର ସଂଘର୍ଷକୁ ଭଣ୍ଡୁର କରିବା ପାଇଁ ଭାରତ ପାକିସ୍ତାନ ଉପରେ ଚାପ ସୃଷ୍ଟି କରୁଛି, କିନ୍ତୁ ପଛଦ୍ୱାର କୂଟନୀତି ଆଦୌ କାମ ଦେବନାହିଁ ଏବଂ କଶ୍ମୀର ସ୍ୱାଧୀନ ହେବ ବୋଲି ହାଫିଜ୍‌ କହିଛି। ଏହି ଅନ୍ତର୍ଜାତୀୟ ଆତଙ୍କବାଦୀ ନିକଟରେ ଗୃହବନ୍ଦୀରୁ ମୁକ୍ତି ପାଇବା ପରଠାରୁ ଲଗାତାର ଭାରତ ବିରୋଧୀ ବୟାନ ଦେଉଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ହାଫିଜକୁ ପ୍ରୋତ୍ସାହନ ଦେଇ ଚାଲିଛି । ହାଫିଜ୍‌ ପ୍ରତି ପାକିସ୍ତାନ ସରକାରଙ୍କ ନରମ ଆଭିମୁଖ୍ୟକୁ ବିରୋଧ ଆମେରିକା କଡ଼ା ଚେତାବନୀ ଦେବା ସତ୍ତ୍ୱେ ପାକିସ୍ତାନ ଏହାକୁ ଭୃକ୍ଷେପ କରିନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ପାକିସ୍ତାନକୁ ଚେତାବନୀ ଦେଇ ନଭେମ୍ବର ୨୫ ତାରିଖ ଦିନ କହିଥିଲେ ଯେ ଆତଙ୍କବାଦୀ ହାଫିଜକୁ ଗିରଫ କରାନଗଲେ ଆମେରିକା-ପାକିସ୍ତାନ ଦ୍ୱିପାକ୍ଷିକ ସଂପର୍କ ପ୍ରଭାବିତ ହେବ ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ପାକିସ୍ତାନର କିଛି ନିଷ୍ଠା ନାହିଁ ବୋଲି ପ୍ରମାଣିତ ହେବ । ଗତ ୨୪ ତାରିଖ ଦିନ ଲାହୋର ହାଇକୋର୍ଟ ନିର୍ଦ୍ଦେଶକ୍ରମେ ହାଫିଜ୍‌ ମୁକ୍ତି ପାଇବା ପରେ କଶ୍ମୀରରେ ଅଧିକ ହିଂସା ପାଇଁ ଚେତାବନୀ ଦେଇଥିଲା। ପାକିସ୍ତାନ ସରକାର ଆମେରିକାର କୌଣସି ନିର୍ଦ୍ଦେଶ ପାଳନ କରିବା ଉଚିତ ନୁହେଁ ବୋଲି ମଧ୍ୟ ହାଫିଜ୍‌ ମତ ଦେଇଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇବାକୁ ହାଫିଜ୍‌୍‌ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ କରିଛି ଏବଂ ଏଥିରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାକୁ ସହଯୋଗ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର