ସତର୍କ କଲା ଗୋଇନ୍ଦା ବିଭାଗ : ପୁଣି ଆତ୍ମଘାତୀ ଆକ୍ରମଣ ଯୋଜନା

ଧରାପଡ଼ିଲା ଜୈସ୍‌ର ଷଡ଼ଯନ୍ତ୍ର

ଶ୍ରୀନଗର: ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ ଘଟଣା ଏବେ ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା‌ ବେଳେ ଆତଙ୍କବାଦୀ ଗୋଷ୍ଠୀ ‘ଜୈସ୍ ଏ ମହମ୍ମଦ୍‌’ ଏବେ ଆହୁରି ବଡ଼ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ପୁଲୱାମାରେ ଅତ୍ୟନ୍ତ ବର୍ବର ଓ କାପୁରୁଷୋଚିତ ଆକ୍ରମଣ କରିବାରେ ସଫଳ ହୋଇଥିବା ଜେଇଏମ୍‌ ଏବେ ଦକ୍ଷିଣ କଶ୍ମୀରରେ ପୁଣି ଭୟାନକ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା ଚଳାଇଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପାକିସ୍ତାନ ସ୍ଥିତ ଜେଇଏମ୍‌ର ଜଣେ କମାଣ୍ଡର ଏବଂ କଶ୍ମୀରୀ ଆତଙ୍କବାଦୀଙ୍କ ମଧ୍ୟ‌ରେ ହୋଇଥିବା ଏକ ବାର୍ତ୍ତାଳାପକୁ ଟ୍ରାକ୍‌ କରାଯିବା ପରେ ଏ ବାବଦ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଖୁବ୍‌ ଶୀଘ୍ର ସୁରକ୍ଷାବାହିନୀ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନରୁ ଜୈସ୍‌ କମାଣ୍ଡର ସ୍ଥାନୀୟ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଆକ୍ରମଣ ଦକ୍ଷିଣ କଶ୍ମୀରରେ ସମ୍ଭବ ନହେଲେ ଜମ୍ମୁରେ କରିବା ପାଇଁ ନିର୍ଦ୍ଦେଶ ମିଳିଥିବା ଏହି ବାର୍ତ୍ତାଳାପରୁ ଜଣାପଡ଼ିଛି। ଜେଇଏମ୍‌ର ପ୍ରାୟ ୨୧ ଜଣ ଆତଙ୍କବାଦୀ ପ୍ରଚୁର ବିସ୍ଫୋରକ ସହ ଗତବର୍ଷ ଡିସେମ୍ବରରେ କଶ୍ମୀରରେ ଅନୁପ୍ରବେଶ କରିଥିଲେ। ପୁଲୱାମା ଆତ୍ମଘାତୀ ଆକ୍ରମଣ ପାଇଁ ଜେଇଏମ୍‌ କିଭଳି ପ୍ରସ୍ତୁତ ହୋଇଥିଲା ସେନେଇ ଏକ ଭିଡିଓ ଜାରି କରିବ ବୋଲି ମଧ୍ୟ ଜଣାପଡ଼ିଛି। ‌ କଶ୍ମୀରୀ ଯୁବକଙ୍କୁ ଆତଙ୍କବାଦ ଦିଗରେ ପ୍ରୋତ୍ସାହିତ କରିବା‌ ଏବଂ ଭାରତରୁ କଶ୍ମୀରକୁ ଅଲଗା କରିବା ମୂଳ ଲକ୍ଷ୍ୟ ବୋଲି ଜେଇଏମ୍‌ କହିଛି।

ଅର୍ଦ୍ଧସାମରିକ ବଳ ପାଇଁ ବିମାନସେବା, ୭,୮୦,୦୦୦ ଯବାନ ଉପକୃତ ହେବେ
ନୂଆଦିଲ୍ଲୀ: ପୁଲଵାମାରେ ସିଆରପିଏଫ୍ ପଲଟଣ ଉପରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଆଜି ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କ ଯାତାୟାତ ପାଇଁ ବିମାନସେବା ମଞ୍ଜୁର କରିଛନ୍ତି। ଜମ୍ମୁକଶ୍ମୀର ଅଞ୍ଚଳରେ କାର୍ଯ୍ୟରେ ଯୋଗଦେବାକୁ ହେଉ ଅଥବା ସେମାନେ ଛୁଟିରେ ଯାଆନ୍ତୁ, ଏଣିକି ସେମାନେ ବିମାନରେ ଯାତାୟାତ କରିପାରିବେ। ଏହାଦ୍ବାରା ବିଶେଷ କରି ଦିଲ୍ଲୀ-ଶ୍ରୀନଗର ଏବଂ ଶ୍ରୀନଗର-ଜମ୍ମୁ ମଧ୍ୟରେ ଯାତାୟାତ କରୁଥିବା ପ୍ରାୟ ୭ ଲକ୍ଷ ୮୦ ହଜାର ଯବାନ ଉପକୃତ ହୋଇପାରିବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅଦ୍ୟାବଧି କେବଳ ଇନ୍ସପେକ୍ଟର ଏବଂ ତଦୂର୍ଦ୍ଧ୍ବ ପାହ୍ୟାର ଅଧିକାରୀଙ୍କ ପାଇଁ ବିମାନ ସେବା ଯୋଗାଇ ଦିଆଯାଉଥିଲା। ସଡ଼କ ପଥରେ ମଧ୍ୟ ଅର୍ଦ୍ଧସାମରିକା ବାହିନୀ ଓ ସାମରିକ ବାହିନୀର ଯାତ୍ରା ପାଇଁ ନୂଆ ସୁରକ୍ଷା ନୀତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର