ପୁଣି ସୁପ୍ରିମ୍‌ କୋର୍ଟରେ ସଂକଟ: ରାୟରେ ଅନ୍ୟ ଖଣ୍ଡପୀଠର ହସ୍ତକ୍ଷେପକୁୁ ବିରୋଧ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ମାମଲାରେ ସୁପ୍ରିମ କୋର୍ଟର ଗୋଟିଏ ଖଣ୍ଡପୀଠ ଦେଇଥିବା ରାୟ ଉପରେ ଅନ୍ୟ ଏକ ଖଣ୍ଡପୀଠ ପ୍ରଶ୍ନ ଉଠାଇବାକୁ ନେଇ ପୁଣି ବିବାଦ ଦେଖାଯାଇଛି। ଗତ ମାସ ୧୨ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନକୁ ନେଇ ଚାରି ଜଣ ବରିଷ୍ଠ ବିଚାରପତି ସର୍ବସାଧାରଣରେ ବିଦ୍ରୋହ ଘୋଷଣା କରିବା ଭଳି ଅପ୍ରୀତିକର ସ୍ଥିତି ପରେ ସଦ୍ୟ ମତଭେଦ ଘଟଣା ସର୍ବୋଚ୍ଚ ଅଦାଲତ ପାଇଁ ପୁଣି ସଂକଟ ଆଣିଦେଇଥିବା ଚର୍ଚ୍ଚା ହେଉଛି। ଏଥିରେ ହସ୍ତକ୍ଷେପ କରି ମାମଲାର ସମାଧାନ କରିବାକୁ ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏକେ ଗୋଏଲ୍‌ଙ୍କ ନେତୃତ୍ୱରେ ଦୁଇଟି ଖଣ୍ଡପୀଠ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଫେରାଦ ହୋଇଛନ୍ତି। ଏକ ପାଞ୍ଚଜଣିଆ ବୃହତ୍‌ ଖଣ୍ଡପୀଠରେ ଏହାର ସମାଧାନ କରିବାକୁ ସେମାନେ ପରାମର୍ଶ କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଧାନ ବିଚାରପତି ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୭ ତାରିଖରେ ନେବେ ବୋଲି ଜଣାଯାଇଛି।

ସୂଚନା ଥାଉ କି, ଜମି ଅଧିଗ୍ରହଣ ହେବାର ୫ବର୍ଷ ମଧ୍ୟରେ ଦାବିଦାରଙ୍କୁ ଅଧିଗ୍ରହଣ ସଂକ୍ରାନ୍ତ ଅର୍ଥ ପୈଠ କରାନଗଲେ ଅଧିଗ୍ରହଣ ରଦ୍ଦ ହେଲା ବୋଲି ବିବେଚନା କରିବାକୁ ୨୦୧୪ ମସିହାରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଆର୍‌ ଏମ୍‌ ଲୋଧା, କୁରିଏନ୍‌ ଜୋସେଫ ଓ ଏମ୍‌ ବି ଲୋକୁରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ତେବେ ଇନ୍ଦୋର ଉନ୍ନୟନ କର୍ତ୍ତୃପକ୍ଷ ବନାମ ଶୈଳେନ୍ଦ୍ର(ମୃତ) ମାମଲାର ବିଚାର କରି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତ ୮ ତାରିଖରେ ଭିନ୍ନ ରାୟ କରିଥିଲେ। ସରକାରଙ୍କ ଅଧିଗ୍ରହଣ ପ୍ରକ୍ରିୟା ସରିବା ପରେ ଜମିମାଲିକ କୋର୍ଟରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ଯଦି କ୍ଷତିପୂରଣ ଗ୍ରହଣ ନକରନ୍ତି ତେବେ ଜମି ଅଧିଗ୍ରହଣ (ସଂଶୋଧିତ) ଆଇନ ୨୦୧୩ ଅନୁସାରେ ୫ ବର୍ଷ ପୂରିଯାଇଥିଲେ ବି ସେହି ଜମି ଆଉ ଫେରିପାଇବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଅପରପକ୍ଷେ, ଗତକାଲି ଅନ୍ୟ ଏକ ଜମି ଅଧିଗ୍ରହଣ ମାମଲାର ବିଚାର କରିବା ଅବସରରେ ଜଷ୍ଟିସ୍‌ ମଦନ ବି ଲୋକୁର, କୁରିଏନ୍‌ ଜୋସେଫ ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠର ୮ ତାରିଖ ରାୟ ଉପରେ ପ୍ରଶ୍ନ ଉଠାଇବା ସହ କଡ଼ା ଟିପ୍ପଣୀ କରିଥିଲେ। ସମାନ ସଂଖ୍ୟକ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ରାୟ(୨୦୧୪ ମସିହା)କୁ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ବଦଳାଇବା ନ୍ୟାୟପାଳିକାର ବିଶୃଙ୍ଖଳିତ ଦିଗକୁ ଦର୍ଶାଉଛି ବୋଲି ସେମାନେ ଟିପ୍ପଣୀ କରିଥିଲେ। ସେମାନେ ପୂର୍ବ ରାୟରେ ସହମତ ନଥିଲେ ଏହାକୁ ଏକ ବୃହତ୍‌ ଖଣ୍ଡପୀଠକୁ ସୁପାରିସ କରିବା ଠିକ୍‌ ହୋଇଥାନ୍ତା ବୋଲି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଖଣ୍ଡପୀଠ ଗତକାଲି କହିଥିଲେ। ସେମାନେ ଗତକାଲିର ମାମଲାର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏ ଘୁଞ୍ଚାଇଦେଇଥିବା ବେଳେ ସେହି ଦିନ ହିଁ ଜଷ୍ଟିସ ଅରୁଣ ମିଶ୍ର ଦେଇଥିବା ରାୟ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର