ପୁଣିଥରେ ହେବ ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ: ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ପିଓକେରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ସହ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଧ୍ୱଂସ କରିଦେଇଥିଲେ। ତେବେ ଦୀର୍ଘ ୨୧ ମାସ ପରେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ର ଭିଡିଓ ସାମ୍ନାକୁ ଆସିବା ପରେ ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉକ୍ତ ସର୍ଜିକାଲ ଷ୍ଟ୍ରାଇକ୍‌ର ପରିକଳ୍ପନା କରିଥିବା ତତ୍କାଳୀନ ଉତ୍ତର କମାଣ୍ଡ୍‌ ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍‌.ହୁଦା ଆଜି ଗଣମାଧ୍ୟରେ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ଶତଚେଷ୍ଟା ପରେ ବି ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଚାଲିଛି ସହ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ରଖିଛି। ଏଭଳି ସ୍ଥିତିରେ ଭାରତୀୟ ସେନା ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନକୁ କଡ଼ା ଜବାବ୍‌ ଦେଇପାରେ ବୋଲି ସେ କହିଛନ୍ତି। ଏହି ସର୍ଜିକାଲ ଷ୍ଟ୍ରାଇକ କରିବା ପାଇଁ କେନ୍ଦ୍ର ସରକାର ଓ ସେନା ମିଳିତ ନିଷ୍ପତ୍ତି ନେଇଥିଲେ। ତେଣୁ ଆଗକୁ ମଧ୍ୟ ପାକିସ୍ତାନକୁ କଡ଼ା ଜବାବ୍‌ ଦେବାକୁ ହେଲେ ଭାରତୀୟ ସେନା ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପାଇଁ ପଛଘୁଞ୍ଚା ଦେବନାହିଁ ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ୨୦୧୬-ସର୍ଜିକାଲ ଷ୍ଟ୍ରାଇକକୁ ଉଦ୍ଧମପୁର ସେନା ମୁଖ୍ୟାଳୟର କଣ୍ଟ୍ରୋଲ ରୁମରୁ ନିରୀକ୍ଷଣ କରାଯାଉଥିଲା। ଡ୍ରୋନ୍‌ ଓ ୟୁଏଭି ସହାୟତାରେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ର ଭିଡିଓ ଉତ୍ତୋଳନ କରାଯାଇଥିଲା। ତେବେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡଗୁଡ଼ିକ ପାକିସ୍ତାନ ସେନା କ୍ୟାମ୍ପକୁ ଲାଗି ରହିଥିବାରୁ ଭାରତୀୟ ଯବାନଙ୍କ ପାଇଁ ଏହା ଏକ କଠିନ କାର୍ଯ୍ୟ ହୋଇଥିଲା। ଏହି ଅପରେସନକୁ ସଂପୂର୍ଣ୍ଣ କରିବା ପାଇଁ ସେନାକୁ ୬ ଘଣ୍ଟା ସମୟ ଲାଗିଥିଲା ବୋଲି ଜେନେରାଲ ହୁଦା କହିଛନ୍ତି।

ସମ୍ବନ୍ଧିତ ଖବର