ପୁଣି ତେଜିଲା କାସଗଞ୍ଜ ନିଆଁ:ଧର୍ମସ୍ଥଳୀ ଦରଜା ଜାଳିଦେଲେ, ୨ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ପଶ୍ଚିମ ଉତ୍ତରପ୍ରଦେଶର କାଂସଗଞ୍ଜ ସହରରେ ଦେଖାଦେଇଥିବା ଉତ୍ତେଜନା ଥମି ଆସୁଥିବା ବେଳେ ଆଜି ଅଜଣା ଦୁର୍ବୃତ୍ତମାନେ ସେହି ନିଆଁରେ ପୁଣି ଘିଅ ଢାଳିଛନ୍ତି। ସହରରେ ଫେରି ଆସୁଥିବା ଶାନ୍ତିଶୃଙ୍ଖଳା ପରିସ୍ଥିତିରେ ବ୍ୟାଘାତ ଆଣିବା ପାଇଁ କିଛି ଅସାମାଜିକ ତତ୍ତ୍ୱ ସ୍ଥାନୀୟ ଗଞ୍ଜଦୁଦ୍ୱାରା ଅଞ୍ଚଳର ଏକ ଧାର୍ମିକ ସ୍ଥଳର ମୁଖ୍ୟ ଦରଜାରେ ନିଆଁ ଲଗାଇଦେଇଛନ୍ତି। ଅବଶ୍ୟ ଖବର ପାଇ ପୁଲିସ ବଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ପ୍ରଶମିତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ତେବେ ଘଟଣାକୁ ନେଇ ସହରରେ ପୁଣି ଚାପା ଉତ୍ତେଜନା ପ୍ରକାଶ ପାଇଛି।
ତେବେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଏଥି ପାଇଁ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଦୁଇ ଜଣ ପୁଲିସ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଘଟଣା ପରେ ପରେ କାସଗଞ୍ଜ ଜିଲ୍ଲା ପୁଲିସ ଅଧୀକ୍ଷକ ପୀୟୂଷ ଶ୍ରୀବାସ୍ତବ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆର୍‌ପି ସିଂହ ଗଞ୍ଜଦୁଦ୍ୱାରାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରିତ କରିଛନ୍ତି। ଅପରପକ୍ଷେ, ସହରର ଆଉ କୌଣସି ଅଞ୍ଚଳରେ ଯେପରି ଅନୁରୂପ ଅପ୍ରୀତିକର ପରିସ୍ଥିତି ଦେଖାନଯାଏ, ସେଥିପାଇଁ ବ୍ୟାପକ ପୁଲିସ ବଳ ସହିତ ସଶସ୍ତ୍ର ସୁରକ୍ଷା କର୍ମୀ ସାରା ସହରର ଗଳିକନ୍ଦିରେ ପଇଁତରା ମାରୁଛନ୍ତି ବୋଲି ପୁଲିସ ଅଧୀକ୍ଷକ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।
ସୂଚନା ଥାଉ କି, ଗତ ୨୬ ତାରିଖ ଗଣତନ୍ତ୍ର ଦିବସ ପାଳନ ବେଳେ କାସଗଞ୍ଜ ସହରରେ ଚାଲିଥିବା ‘ତିରଙ୍ଗା ଯାତ୍ରା’କୁ ବଦୁନଗର ଠାରେ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଥିଲା। ଉଭୟ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ମାଡ଼ରେ ଡଜନେରୁ ଅଧିକ ଗାଡ଼ି ଭଙ୍ଗାରୁଜା ହେବା ସହ ଗୁଳିମାଡ଼ରେ ଚନ୍ଦନ ଓରଫ ଅଭିଷେକ ଗୁପ୍ତା(୨୨)ଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ପରେ ଉତ୍ତେଜିତ ଲୋକେ ତିନିଟି ଦୋକାନ, ଦୁଇଟି ବସ ଏବଂ ଗୋଟିଏ କାଠାରେ ନିଆଁ ଲଗାଇ ଦେଇଥିଲେ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ହିଂସାକାଣ୍ଡରେ ଜଡ଼ିତ ୧୧୮ ଜଣଙ୍କୁ ପୁଲିସ ଗିରଫ କରିସାରିଛି ଏବଂ ଆହୁରି ଅନେକ ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସ ଜାରି ରହିଛି। ଏପରି ଘଟଣା ରାଜ୍ୟ ସରକାରଙ୍କ ପାଇଁ କଳଙ୍କ ବୋଲି ରାଜ୍ୟପାଳ ରାମ ନାଏକ କହିବା ପରେ ହିଂସାକାରୀ କାହାକୁ ଛଡ଼ାଯିବନି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଅପରପକ୍ଷେ, ପୁଲିସର କାର୍ଯ୍ୟାନୁଷ୍ଠାନ ଅଭାବରୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଅଭିଯୋଗ ଆଣିଥିଲେ। ଏ ପଟେ ଚନ୍ଦନଙ୍କ ପରିବାରକୁ ଧମକ ମିଳୁଥିବା ଅଭିଯୋଗ ପାଇ ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇଦେଇଛି।

ସମ୍ବନ୍ଧିତ ଖବର