କଶ୍ମୀର ପୁଣି ଅଶାନ୍ତ : ପଥର ଆକ୍ରମଣକାରୀର ମୃତ୍ୟୁକୁ ନେଇ ସଂଘର୍ଷ

କର୍ଫ୍ୟୁ ଜାରି, ଇଣ୍ଟରନେଟ ସେବା ବନ୍ଦ: ଗ୍ରେନେଡ ମାଡ଼ରେ ୫ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀଗନର ସ୍ଥିତ ନୌହଟାରେ ସିଆରପିଏଫ୍‌ ଗାଡ଼ି ଧକ୍କାରେ ଜଣେ ପଥର ଆକ୍ରମଣକାରୀ ଯୁବକର ମୃତ୍ୟୁ ହେବା ପରେ ଘାଟିରେ ପରିସ୍ଥିତି ପୁଣିଥରେ ଅଣାୟତ୍ତ ହୋଇପଡ଼ିଛି। ଏହି ଘଟଣାରେ ପୁଲିସ୍‌ ସିଆରପିଏଫ୍‌ ଡ୍ରାଇଭର ଓ ଜଣେ ପଥର ଆକ୍ରମଣକାରୀକୁ ଗିରଫ କରିଛି। ସେପଟେ ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବା ବେଳେ ସେନା ଉପରକୁ ପଥରମାଡ଼ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଶ୍ରନଗର ଓ ବଡ଼ଗାମ୍‌ରେ କର୍ଫ୍ୟୁ ଜାରି କରାଯାଇଛି। ଇଣ୍ଟରନେଟ ଓ ମୋବାଇଲ ସେବା ମଧ୍ୟ କିଛି ସ୍ଥାନରେ ଅଚଳ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଆଜି ମୃତ ଯୁବକର ଶବ ରଖି ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ପୁଲିସ୍‌ ସେମାନଙ୍କ ଉପରକୁ ପେଲେଟ ଗୁଳି ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ପେଲେଟ ଗୁଳିରେ ୧୧ ଜଣ ଆହତ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ଗୋଟିଏ ପଟେ କଶ୍ମୀର ଆନ୍ଦୋଳନକାରୀଙ୍କ ଯୋଗୁଁ ଅଶାନ୍ତ ରହିଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ ଆଜି ଶ୍ରୀନଗର ଏବଂ ବୁଦ୍ଦଶାହ ଅଂଚଳରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ୪ ଜଣ ସିଆର୍‌ପିଏଫ୍‌୍‌ ଯବାନ ଓ ଜଣେ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଗତକାଲି ଶ୍ରୀନଗରରେ ସିଆରପିଏଫର ୨୮ ବାଟାଲିଅନ ସେକେଣ୍ଡ-ଇନ-କମାଣ୍ଡ ଏସ୍‌ଏସ୍‌.ଯାଦବଙ୍କୁ ତାଙ୍କ ବାସଭବନରେ ଛାଡ଼ି ଫେରୁଥିବା ବେଳେ ଜମିଆ ମସ୍‌ଜିଦ ବାହାରେ ସ୍ଥାନୀୟ ପଥର ଫିଙ୍ଗାଳିମାନେ ଗାଡ଼ିଟିକୁ ଘେରିଯାଇଥିଲେ। ସେମାନେ ଦେଶ ବିରୋଧୀ ସ୍ଳୋଗାନ ଦେବା ସହ, ଉକ୍ତ ଗାଡ଼ି ଉପରକୁ ପ୍ରବଳ ପଥରମାଡ଼ ମଧ୍ୟ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ଡ୍ରାଇଭର ଗାଡ଼ିକୁ ଦ୍ରୁତ ଗତିରେ ନେବାରୁ ଚକା ତଳେ ପଡ଼ି ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳର ଦୃଶ୍ୟ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ଯେ, କିଭଳି ଭାବେ ସ୍ଥାନୀୟ ଲୋକେ ସିଆରପିଏଫ୍‌ ଡ୍ରାଇଭରଙ୍କ ଗାଡ଼ି ଉପରକୁ ଅତି ନିକଟରୁ ପଥର ଓ ଢେଲା ମାଡ଼ କରୁଛନ୍ତି। କିଛି ଆକ୍ରମଣକାରୀ ଜିପ୍‌ ଉପରକୁ ଚଢ଼ି ଡ୍ରାଇଭରଙ୍କୁ ବଳପୂର୍ବକ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏଭଳି ସମୟରେ ତୀବ୍ର ଉତ୍ତେଜନା ଲାଗି ରହିବା ସୁରକ୍ଷା ଚିନ୍ତାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର