ଅଗସ୍ତା ୱେଷ୍ଟଲାଣ୍ଡ: ମାମଲା, ଗୁମର ଖୋଲିବେ ମାଇକେଲ୍‌

ଖ୍ରୀଷ୍ଟିଆନ୍‌ ମାଇକେଲ୍‌ କିଏ?

ନୂଆଦିଲ୍ଲୀ: ୩,୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କାରବାର ମାମଲାର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିଆନ୍‌ ମାଇକେଲ୍‌ଙ୍କୁ ଗତକାଲି ରାତିରେ ଭାରତ ଅଣାଯାଇଛି। ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହେଡ୍‌କ୍ବାର୍ଟର୍ସରେ ମାଇକେଲ୍‌ଙ୍କୁ ଘନଘନ ଜେରା କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୫ ଦିନ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। କାରବାରକୁ ନେଇ ଏ‌ ପର୍ଯ୍ୟନ୍ତ ଅନ୍ଧାରରେ ଥିବା ସିବିଆଇ ତାଙ୍କଠାରୁ ପ୍ରକୃତ ଘଟଣା ଜାଣିବାକୁ ଏହି ୫ ଦିନରେ ଉଦ୍ୟମ କରିବ। ତେଣୁ ଖୁବ୍‌ଶୀଘ୍ର ମାଇକେଲ୍‌ ଅନେକ ଗୁମର ଖୋଲିବେ ବୋଲି କୁହାଯାଉଛି। ଭାରତ ସରକାରଙ୍କ ଅନୁରୋଧକ୍ରମେ ଦୁବାଇ ସରକାର ବ୍ରିଟିସ୍‌ ନାଗରିକ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ ପାଇଁ ରାଜି ହୋଇଥିଲେ। ଏହା ପରଠାରୁ ତାଙ୍କୁ ଦୁବାଇ ଜେଲ୍‌ରେ ବନ୍ଦୀ ରଖାଯାଇଥିଲା। ତାରିଖ ଧାର୍ଯ୍ୟ ହେବା ପରେ ତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ଅଣାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ଲାଗି ସରକାର ୧୨ଟି ହେଲିକପ୍ଟର କିଣିବା ପାଇଁ ଅଗସ୍ତା ୱେଷ୍ଟଲାଣ୍ଡ ସହ ଚୁକ୍ତି କରିଥିଲେ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମାଇକେଲ୍‌ଙ୍କ ସମେତ ୩ ଜଣ ମଧ୍ୟସ୍ଥିଙ୍କୁ କମ୍ପାନି ୪୨୩ କୋଟି ଟଙ୍କାର ଲାଞ୍ଚ ଦେଇଥିଲା। ପ୍ରମୁଖ ମଧ୍ୟସ୍ଥି ମାଇକେଲ୍‌ ୨୨୫ କୋଟି ଟଙ୍କା ହାତେଇଥିଲେ। ଏଥିଯୋଗୁ ଭାରତର ୨,୬୬୬ କୋଟି ଟଙ୍କ‌ା ରାଜସ୍ବ କ୍ଷତି ଘଟିଥିବା ଜଣାପଡ଼ିବା ପରେ ୨୦୧୪ରେ ଏହି ଚୁକ୍ତିକୁ ସରକାର ବାତିଲ କରିଦେଇଥିଲେ। ଏହାପରେ ସିବିଆଇ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ସିବିଆଇ ହାତରେ ମାଇକେଲ୍‌ ପଡ଼ିଛନ୍ତି। ତାଙ୍କ ମୁହଁରୁ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ବ୍ୟାପକ ପ୍ରସ୍ତୁତି କରିଛି। ଆଜି ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ସାମ୍ନାରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଯାଇଛି।

ଅନ୍ୟପକ୍ଷରେ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାନି ଅଭିଯୋଗଫର୍ଦ୍ଦ ଦାଖଲ କରି ମାଇକେଲ୍‌ଙ୍କୁ ରିମାଣ୍ଡ‌େର ନେବ ବୋଲି ଜଣାପଡ଼ିଛି। ଇଡି ତାଙ୍କୁ ବିଭିନ୍ନ ସେଲ୍‌ ବା ଭୂତ କମ୍ପାନି ବାବଦରେ ଜେରା କରିବ। ଇତିମଧ୍ୟରେ ମାଇକେଲ୍‌ଙ୍କ ପାଇଁ ମାମଲା ଲଢ଼ିଥିବା ଆଇନଜୀବୀ ତଥା ଯୁବ କଂଗ୍ରେସ ନେତା ଆଲ୍‌ଜୋ କେ ଯୋଶେଫ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ ନିଲମ୍ବନ କରିଥିବା ଜଣାପଡ଼ିଛି।

ସିବିଆଇ ୫ ଦିନ ରିମାଣ୍ଡରେ ନେଲା, ଇଡି ମଧ୍ୟ ଜେରା କରିବ

ଖ୍ରୀଷ୍ଟିଆନ୍‌ ମାଇକେଲ୍‌ କିଏ?
ଇଟାଲୀୟ କମ୍ପାନି ଫିନ୍‌ମେକାନିକାର ଶାଖା ହେଉଛି ଅଗସ୍ତା ୱେଷ୍ଟଲାଣ୍ଡ କମ୍ପାନି, ଯାହା କି ବ୍ରିଟେନ୍‌ରେ ରହିଛି। ବ୍ରିଟିସ୍‌ ବ୍ୟବସାୟୀ ଖ୍ରୀଷ୍ଟିଆନ୍‌ ମାଇକେଲ୍‌ ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ପାଇଁ ଜଣେ ଉପଦେଷ୍ଟା ଭାବେ କାମ କରୁଥିଲେ। ଏହି ହେଲିକପ୍ଟର ସଂକ୍ରାନ୍ତରେ ତ‌ାଙ୍କର ବୈଷୟିକ ପରିଚାଳନାଗତ ଜ୍ଞାନ ରହିଛି। ତେବେ ଭାରତ ସହିତ ୩,୬୦୦ କୋଟି ଟଙ୍କାର ଚୁକ୍ତି କରିବାକୁ ଚାହୁଥିବା ଅଗସ୍ତା ୱେଷ୍ଟଲାଣ୍ଡ ମାଇକେଲ୍‌ଙ୍କ ସହାୟତା ନେଇଥିଲା। ତାଙ୍କ ମାଧ୍ୟମରେ ଭାରତୀୟ ବାୟୁ ସେନା ଏବଂ ପୂର୍ବର ୟୁପିଏ ସରକାରଙ୍କୁ ପ୍ରଭାବିତ କରି ୧୨ଟି ହେଲିକପ୍ଟର ଯୋଗାଇବାକୁ ଯୋଜନା କରିଥିଲା। ଏଥିପାଇଁ ୪୨୩ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିଲା, ଯେଉଁଥିରୁ ମାଇକେଲ୍‌ ଏକାକୀ ୨୨୫ କୋଟି ଟଙ୍କା ପାଇଥିଲେ। ତେଣୁ ମାଇକେଲ୍‌ ଏହି ଚୁକ୍ତିକୁ ବାସ୍ତବ ରୂପ ଦେବା ପାଇଁ ବାରମ୍ବାର ଭାରତ ଆସି ଅଧିକାରୀମାନଙ୍କୁ ଭେଟିଥିଲେ। ମାମଲାରେ ୩ ଜଣ ପ୍ରମୁଖ ଅଭିଯୁକ୍ତ ଥିଲେ। ଅନ୍ୟ ଦୁଇଜଣ ହେଉଛନ୍ତି ଗୁଇଡୋ ହାସ୍‌କେ ଏବଂ କାର୍ଲୋ ଜେରୋସା।

ସମ୍ବନ୍ଧିତ ଖବର