ଚୀନ ପ୍ରତି ସଂଦେହ ହିଁ ଭାରତକୁ ଆମେରିକାର ସାମରିକ ସହଯୋଗୀ କରିଛି

ନୂଆଦିଲ୍ଲୀ : ଚୀନ ପ୍ରତି ସଂଦେହ ହିଁ ଭାରତ ଓ ଆମେରିକାର ସାମରିକ ସଂପର୍କକୁ ବଢାଇବାରେ ସହାୟକ ହୋଇଛି ବୋଲି ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଆଷ୍ଟନ କାର୍ଟର କହିଛନ୍ତି । ସେ କହିଛନ୍ତି ଯେ ସମଗ୍ର ଏସିଆରେ ଚୀନର ଔଦ୍ଧତ୍ୟ ବଢିଚାଲିଛି । ଚୀନ ନିଜର ସବୁ ପଡୋଶୀ ଦେଶମାନଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଉଛି । ଏହାକୁ ନେଇ ଭାରତ ଚୀନ ଉପରେ ଭରଷା କରିପାରୁନାହିଁ । ଏଥିପାଇଁ ହିଁ ଭାରତ ଆମେରିକା ସହ ସାମରିକ ସଂପର୍କ ବଢାଇବାକୁ ବାଧ୍ୟ ହୋଇଛି ବୋଲି ସେ କହିଛନ୍ତି । ପୂର୍ବରୁ ଭାରତ ଏସିଆରେ ଆମେରିକାର ପ୍ରଭାବକୁ ନେଇ ଚିନ୍ତିତ ଥିବାବେଳେ ଏବେ ଚିନ୍ତା ଦୂର ହୋଇଯାଇଛି । ସେହିପରି ଆମେରିକା ମଧ୍ୟ ଭାରତର ଅଭିବୃଦ୍ଧି ଓ ଗଣତନ୍ତ୍ରର ଏକ ବଡ଼ ପ୍ରସଂଶକ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅମଳରେ ଭାରତ ଦୁଇଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛି । ପ୍ରଥମଟି ହେଉଛି ମେକ ଇନ ଇଣ୍ଡିଆ ଅର୍ଥାତ ଦେଶର ମାନୁଫାକଚରିଂ କ୍ଷେତ୍ରକୁ ବଢାଇବା ଓ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା । ଦ୍ୱିତୀୟଟି ହେଉଛି ଭାରତ କେବଳ ପାକିସ୍ତାନ କୁ ନିଜର ପ୍ରତିଦ୍ୱନ୍ଦୀ ନଭାବି ଏବେ ବିଶ୍ୱ ଶକ୍ତି ହେବାକୁ ଆଗଭର ହେଉଛି ।

ସମ୍ବନ୍ଧିତ ଖବର