ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି କାର୍ଯ୍ୟାଳୟ ଯାଉଥିବା ବେଳେ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ଶୁକ୍ରବାର ଆକ୍ରମଣର ଶିକାର ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସ୍ୱାମୀ ଅଗ୍ନିବେଶ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କାର୍ଯ୍ୟାଳୟ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, କିଛି ଲୋକ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ। ଜଣଙ୍କ  ହାତରେ ଅସ୍ତ୍ର ଥିବା .ଦେଖିବାକୁ ମିଳିଛି । ସେହିଭଳି ଜଣେ ମହିଳା ମଧ୍ୟ ହାତରେ  ଚପଲ ଧରି ୭୯ ବର୍ଷିଅ ଅଗ୍ନିବେଶଙ୍କୁ ଗୋଡେଇ ଥିଲେ।

ଅଟଲ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯାଉଥିବା ବେଳେ ମୁଁ ଆକ୍ରମଣର ଶିକାର ହୋଇଥିଲି। ପାଖାପାଖି ୨୦ରୁ ୩୦ ଜଣ ବିଜେପି କର୍ମକର୍ତ୍ତା ମୋତେ ଘେରି ଯାଇଥିଲେ। ମୋ ପଗଡ଼ି ତଳେ ପଡ଼ିଯାଇଥିଲା। ସେମାନେ ମୋତେ ଦେଶଦ୍ରୋହୀ କହୁଥିଲେ ବୋଲି ଅଗ୍ନିବେଶ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।

ସେମାନେ ମୋ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ବିଷ୍ଣୁ ଦିଗାମ୍ବର ରାସ୍ତା ଆଡ଼କୁ ଯିବାକୁ କହିିଥିଲେ। ସେଠାରେ କିଛି ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ଏହି ଲୋକମାନେ ହାତରେ ଚପଲ ଧରି ମୋତେ ମାରିବାକୁ ଦୌଡିଥିଲେ।

ସୂଚନାଯୋଗ୍ୟ ଗୋଟିଏ ମାସ ମଧ୍ୟରେ ଅଗ୍ନିବେଶଙ୍କୁ ଏହା ଥିଲା ଦ୍ୱିତୀୟ ଆକ୍ରମଣ। ପୂର୍ବରୁ ଗତ ଜୁଲାଇ ୧୭ରେ .ସେ ଝାଡ଼ଖଣ୍ଡର ପାକୁରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କ  ଆକ୍ରମଣର ଶିକାର ହୋଇଥିଲେ। ସେଦିନ ସେ ଝାଡ଼ଖଣ୍ଡର ପାହାଡିଆ ଜନଜାତିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର