ବିଷ୍ଟ୍‍ ନୁହେଁ, ଏହି ବ୍ୟାଟେରୀ ବସରେ ତାଜମହଲ ବୁଲିବେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ତାଙ୍କର ଅତି ସୁରକ୍ଷିତ କାର ବିଷ୍ଟ୍‍ ଭାରତରେ ପହଞ୍ଚିସାରିଛି । ଏହି ଗସ୍ତ ଅବସରରେ ସେ ଆଗ୍ରାର ପ୍ରସିଦ୍ଧ ତାଜମହଲ ବୁଲିବେ । ତେବେ ସେ ତାଜମହଲ ବୁଲିବାବେଳେ ତାଙ୍କର ସରକାରୀ କାର ବଦଳରେ ଏକ ବ୍ୟାଟେରୀ ଚାଳିତ ବସରେ ବୁଲିବେ ।

ଭାରତର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଜମହଲ ପରିସରରେ କୌଣସି ଡିଜେଲ ବା ପେଟ୍ରୋଲ ଚାଳିତ ଗାଡ଼ି ବୁଲିପାରିବ ନାହିଁ । ଏହି କାରଣରୁ ଟ୍ରମ୍ପଙ୍କ ବିଷ୍ଟ୍‍ କୁ ତାଜମହଲ ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏ ସଂପର୍କରେ ଆମେରିକାର ସିକ୍ରେଟ ସର୍ଭିସକୁ ଜଣାଇଦିଆଯାଇଛି । ପ୍ରଥମରୁ ସିକ୍ରେଟ୍‌ ସର୍ଭିସ ଚାହୁଁଥିଲା ଯେ ଟ୍ରମ୍ପ ନିଜ ସୁରକ୍ଷିତ କାରରେ ହିଁ ତାଜମହଲ ବୁଲନ୍ତୁ । କିନ୍ତୁ ଭାରତୀୟ ପକ୍ଷ ସେମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସଂପର୍କରେ ଅବଗତ କରାଇବା ସହ ବ୍ୟାଟେରୀ କାର ବାବଦରେ ରାଜି କରାଇଛନ୍ତି ।

ପୂର୍ବରୁ ଏହି ବ୍ୟାଟେରୀ ଚାଳିତ କାରରେ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ, ବ୍ରିଟେନର ରାଜଦମ୍ପତ୍ତି ପ୍ରିନ୍ସ ଓ୍ଵିଲିୟମ୍ସ ଓ କେଟ୍‌ ମିଡଲଟନ ମଧ୍ୟ ତାଜମହଲ ଭ୍ରମଣ କରିସାରିଛନ୍ତି । ୨୦୧୫ରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଆଗ୍ରା ଆସି ଏହି ବ୍ୟାଟେରୀ ଗାଡ଼ିରେ ତାଜମହଲ ବୁଲିବାର ଥିଲା, କିନ୍ତୁ ଶେଷ ମୂହୂର୍ତ୍ତରେ ତାଙ୍କର ଏହି ଗସ୍ତ ବାତିଲ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର