ସାମ୍ବାଦିକଙ୍କୁ ବୁଲା କୁକୁର କହି ଦଳରୁ ବହିଷ୍କୃତ ହେଲେ ଏଆଇଡିଏମ୍‌କେ ନେତା

ଚେନ୍ନାଇ: ତାମିଲନାଡୁର ଏଆଇଡିଏମ୍‌କେ ରାଜନୈତିକ ଦଳର ନେତା ହରି ପ୍ରଭାକରନ୍‌ କରିଥିବା ଏକ ଟୁଇଟ୍‌ ତାଙ୍କୁ ମହଙ୍ଗା ପଡ଼ିଛି। ସେ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସାମ୍ବାଦିକମାନଙ୍କୁ ବୁଲା କୁକୁର ବୋଲି ଲେଖିଥିବାରୁ  ଶାସକ ଦଳ ଏଆଇଡିଏମ୍‌କେ ତାଙ୍କୁ ସୋମବାର ବହିଷ୍କାର କରିଛି।

ସାମ୍ବାଦିକମାନଙ୍କୁ ଇଙ୍ଗିତ କରି ଲେଖିଥିବା ଉକ୍ତ ଆପତ୍ତିଜନକ ଟୁଇଟ୍‌ଟି ଥିଲା , ‘ହସ୍ପିଟାଲ୍‌କୁ ଡିସିଏମ୍‌ ପରିଦର୍ଶନରେ ଗଲାବେଳେ ରିପୋର୍ଟରମାନେ ସେଠାକୁ ଯାଇ ଫଟୋ କିମ୍ବା ଭିଡିଓ ସୁଟ୍‌ କରିପାରିବେ ନାହିଁ। ବିସ୍‌କୁଟ୍‌ ପାଇଁ ଚିତ୍କାର କରୁଥିବା ବୁଲା କୁକୁରମାନେ ଗେଟ୍‌ ବାହାରେ ବନ୍ଧା ରୁହନ୍ତି, ଭିତରକୁ ଯାଆନ୍ତି ନାହିଁ।’

ଏହି ଟୁଇଟ୍‌ ପ୍ରଭାକରନ୍‌ ସୋମବାର ସକାଳ ୯.୪୦ ସମୟରେ କରିଥିଲେ। ଯାହା ବି ହେଉ କିଛି ସମୟ ପରେ ସେ ଉକ୍ତି ଟୁଇଟ୍‌ଟିକୁ ଡିଲିଟ୍‌ କରି ଦେଇଥିଲେ।

ପରେ ସେ କ୍ଷମା ପ୍ରାର୍ଥନ କରି କହିଛନ୍ତି ଯେ ‘ମୋ ଦ୍ୱାରା ପ୍ରକାଶ ପାଇଥିବା ମତ ମୋର ବ୍ୟକ୍ତିଗତ। ଏଥିରେ ଦଳର କୌଣସି ସଂପୃକ୍ତିି ନାହିଁ। ଦଳର ମତାମତ ପ୍ରକାଶ କରିବା ପାଇଁ ମୋତେ ଅନୁମତି ଦିଆଯାଇ ନାହିଁ। ମୁଁ ଜାଣିବାକୁ ପାଇଲି ଯେ ସକାଳେ ମୁଁ କରିଥିବା ଏକ ଟୁଇଟ୍‌କୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଅଛନ୍ତି। କାହାକୁ ଅାଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ଯଦି କେହି ଅାଘାତ ପାଇଛନ୍ତି ମୁଁ କ୍ଷମା ମାଗୁଛି।’

ଉଲ୍ଲେଖଯୋଗ୍ୟ, ପ୍ରଭାକରନ୍‌ ହେଉଛନ୍ତି ଜଣେ ସକ୍ରିୟ ଟୁଇଟର୍‌ ବ୍ୟବହାରକାରୀ। ଗତ ମେ ୧୦ ତାରିଖକୁ ତାଙ୍କ ଟୁଇଟର୍‌ ବ୍ୟବହାର କରିବାକୁ ୧୦ ବର୍ଷ ପୂରି ଯାଇଛି।

ସମ୍ବନ୍ଧିତ ଖବର