ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିନକ ପାଇଁ ଧଳା ଆପ୍‌ରନ୍‌ ପିନ୍ଧି ସରକାରୀ ଡାକ୍ତର ସାଜିବାକୁ ପରାମର୍ଶ ଦେଲେ ଏଏମ୍‌ଏସ୍‌ ଡାକ୍ତର

ନୂଆଦିଲ୍ଲୀ: ‘ଆମମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ଆପଣ ବୁଝିବାରେ ସକ୍ଷମ ହେବେ ନାହିଁ! ତେବେ, ଏହାକୁ ବୁଝିବାକୁ ଓ ହୃଦୟଙ୍ଗମ କରିବାକୁ ହେଲେ ଆପଣଙ୍କୁ ଥରୁଟିଏ କେବଳ ମାତ୍ର ଦିନକ ପାଇଁ ଆମମାନଙ୍କ ପରି ଧଳା ଆପ୍‌ରନ୍‌ ପିନ୍ଧିବା ପାଇଁ ପଡ଼ିବ। ଏବଂ ଧଳା ଆପ୍‌ରନ୍‌ ପରିଧାନ କରି ଯେ କୌଣସି ଏକ ସରକାରୀ ଡାକ୍ତରଖାନାରେ ଦିନକ ପାଇଁ ସରକାରୀ ଡାକ୍ତର ହେବାକୁ ପଡ଼ିବ! ତେବେ, ଯାଇ ଆପଣ ଆମମାନଙ୍କ ଦୁଃଖ, ଦୁର୍ଦ୍ଦଶା ବୁଝିପାରିବା ସହ ହୃଦୟଙ୍ଗମ କରିବେ ଯେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ଆମେ କେତେ ଚାପ ଗ୍ରସ୍ତ ଅବସ୍ଥାରେ ଥାଇ ଆମର କର୍ତ୍ତବ୍ୟ ସଂପାଦନ କରୁଛୁ।’ ଏହା କୌଣସି କ୍ଷୁଦ୍ରଗଳ୍ପ, ଉପନ୍ୟାସ ବା ଚଳଚ୍ଚିତ୍ର କାହାଣୀର ଅଂଶ ବିଶେଷ ନୁହେଁ; ଖୋଦ୍‌ ଏଏମ୍‌ଏସ୍‌ ରେସିଡେଣ୍ଟ ଡକ୍ଟର ଆସୋସିଏନ୍‌ର ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ପତ୍ରର କିୟଦଂଶ।

‘ଆମେମାନେ ଭାଗ୍ୟବାନ ଯେ ଆମେ ଆପଣଙ୍କ ପରି ଜଣେ ସକ୍ରିୟ ପ୍ରଧାନମନ୍ତ୍ରୀ ପାଇ ପାରିଛୁ। ତେବେ, ଆମେ ଏବେ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ ଦିନକ ପାଇଁ ଆମପରି ଧଳା ଆପ୍‌ରନ୍‌ ପରିଧାନ କରି ସରକାରୀ ଡାକ୍ତରଖାନାରେ ସରକାରୀ ଡାକ୍ତର ସାଜନ୍ତୁ। ତେବେ, ଯାଇ ଆପଣ ବୁଝିବେ କି ପ୍ରକାରର ଚାପଗ୍ରସ୍ତ ଅବସ୍ଥାରେ ଆମେ ଆମର କର୍ତ୍ତବ୍ୟ ସଂପାଦନ କରୁଛୁ, କେତେ ସବୁ ଆହ୍ଵାନର ସାମନା କରୁଛୁ, ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ କିପରି ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ, ଆଉ ଭିତ୍ତିଭୂମି ଓ ସମ୍ବଳର ଅଭାବରୁ ସଂପୂର୍ଣ୍ଣ ଶେଷ ହେବାକୁ ବସିଛି ଆମର ଚିକିତ୍ସା ବ୍ୟବସ୍ଥା’ ଏହିପରି ଶବ୍ଦ ଓ ବାକ୍ୟ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି ଏଏମ୍‌ଏସ୍‌ ରେସିଡେଣ୍ଟ ଡକ୍ଟର ଆସୋସିଏନ୍‌ର ସଭାପତି ହରଜିତ୍‌ ସିଂହ ଭାଟ୍ଟି।

‘ସରକାରୀ ଡାକ୍ତରଖାନାରେ ଆପଣ ଗୋଟିଏ ଦିନ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କଲେ ଯାଇ ଚିକିତ୍ସା ସେବା କ୍ଷେତ୍ରରେ ସୁଧାର ଆସିବା ସହ ଆମ ମାନଙ୍କର ଆସ୍ଥା ମଧ୍ୟ ବଢ଼ିବ। ଆମର ଚାପଗ୍ରସ୍ତ ଅବସ୍ଥାକୁ ଆପଣ ହୃଦୟଙ୍ଗମ କରିପାରିବେ। ଜରୁରୀକାଳିନ ଅବସ୍ଥାରେ ଭିତ୍ତିଭୂମି ଅଭାବରୁ ଆମେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାରେ ଅସମର୍ଥ ହୋଇ କିପରି ରୋଗୀ ସଂପର୍କୀୟମାନଙ୍କ ଆକ୍ରୋଶର ଶିକାର ହେଉଛୁ,’ ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଏଏମଏସ୍‌ ରେସିଡେଣ୍ଟ ଡକ୍ଟର ଆସୋସିଏନ୍‌ର ସଭାପତି ଡାକ୍ତର ଭଟ୍ଟ।

ଏଥିସହ ଅଧିକ ଦରମା ଓ ପଦୋନ୍ନତି ଦାବି କରି ଡିସେମ୍ବର ୧୬ରୁ ରାଜସ୍ଥାନର ଡାକ୍ତରମାନେ ଆରମ୍ଭ କରିଥିବା ଆନ୍ଦୋଳନକୁ ଏଏମ୍‌ଏସ୍‌ ରେସିଡେଣ୍ଟ ଡକ୍ଟର ଆସୋସିଏନ୍‌ ସମର୍ଥନ କରିବା ସହ ସେମାନଙ୍କ ଦାବି ଯଥାର୍ଥ ଥିବା କହିଛି। ଏଥିସହ ସେମାନେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଆନ୍ଦେଳନ କରିନାହାନ୍ତି ବରଂ ସେମାନଙ୍କର ଅସହାୟତା ସେମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ଏଏମଏସ୍‌ ରେସିଡେଣ୍ଟ ଡକ୍ଟର ଆସୋସିଏନ୍‌ ସଭାପତି ଡାକ୍ତର ଭଟ୍ଟ।

ସମ୍ବନ୍ଧିତ ଖବର