ଭୁବନେଶ୍ୱର ସମେତ ଦେଶର ୬ଟି ଏମ୍ସରେ ବ୍ୟାପକ ସୁଧାର ଅଣାଯିବ

ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ମଧ୍ୟପ୍ରଦେଶର ଭୋପାଳ, ଛତିଶଗଡ଼ର ରାୟପୁର, ବିହାରର ପାଟନା, ରାଜସ୍ଥାନର ଯୋଧପୁର ତଥା ଉତ୍ତରାଖଣ୍ଡର ଋଷିକେଶର ସ୍ଥାପନ କରାଯାଇଥିବା ଏମ୍ସ ଗୁଡ଼ିକରେ ପୂର୍ଣ୍ଣ ରୂପରେ ଭିତ୍ତିଭୂମିର ପ୍ରତିଷ୍ଠା ହୋଇପାରିନଥିବା ତଥା ଜରୁରୀକାଳିନ ସେବାର ଉପଲବ୍ଧି ହୋଇପାରୁନଥିବାରୁ ଏହାକୁ ସୁଧାରିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ତତ୍ପରତା ପ୍ରକାଶ ପାଇଛି। ଏହିସବୁ ଏମ୍ସ ଗୁଡ଼ିକରେ ଦିଲ୍ଲୀ ଏମ୍ସ ଭଳି ବ୍ୟବସ୍ଥା କରିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଏମ୍ସକୁ ପରାମର୍ଶ ଦିଆଯାଇଥିବା ସୁତ୍ରରୁ ଜଣାପଡ଼ିଛି। ଏଣିକି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ୬ଟି ଏମ୍ସକୁ ଯାଇ ସେଠାର ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଜଟିଳ ଅପରେସନ ଗୁଡ଼ିକରେ ମଧ୍‌ୟ ସେଠାର ଡାକ୍ତରି ଟିମ୍‌କୁ ସହଯୋଗ କରିବେ ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଦିଲ୍ଲୀ ଏମ୍ସର କିଛି ଡାକ୍ତରମାନଙ୍କୁ ୬ଟି ଏମ୍ସରେ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ନିଯୁକ୍ତି ଦିଆଯିବା ପାଇଁ ମଧ୍ୟ ଯୋଜନା ଅଛି ଯାହାଦ୍ୱାରା ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ମଧ୍ୟ ସ୍ଥାପନ କରାଯାଇପାରିବ। ଦିଲ୍ଲୀ ଏମ୍ସରୁ ଅବସର ନେଇଥିବା ପ୍ରଫେସର ମାନଙ୍କୁ ମଧ୍ୟ ୬ଟି ଏମ୍ସରେ ସ୍ୱଳ୍ପକାଳୀନ ନିଯୁକ୍ତି ପାଇଁ ମଧ୍ୟ ପ୍ରାଥମିକତା ଦିଆଯିବ ଏବଂ ୬ଟି ଏମ୍ସର କିଛି ଡାକ୍ତରମାନଙ୍କୁ ଦିଲ୍ଲୀ ଏମ୍ସରେ ନୂଆ ମେଡିକାଲ ଉପକରଣ ଗୁଡ଼ିକର ସଞ୍ଚାଳନ ଓ ଅସ୍ତ୍ରୋପଚାରର ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବାର ସୁତ୍ରରୁ ଜଣାପଡ଼ିଛି। ଦିଲ୍ଲୀ ଏମ୍ସ ଭଳି ଦେଶଣ ୬ଟି ଏମ୍ସକୁ କିଭଳି ସର୍ବୋତ୍ତମ କରାଯାଇପାରିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ବିଶେଷ ଯୋଜନା କରିଥିବାର କୁହାଯାଉଛି। ୬ଟି ଏମ୍ସରେ ଖାଲି ପଡ଼ିଥିବା ୭୬ ପ୍ରତିଶତ ପ୍ରଫେସର ପଦ ଗୁଡ଼ିକ ପୂରଣ କରାଯିବା ପାଇଁ ମଧ୍ୟ ମନ୍ତ୍ରାଳୟ ଦ୍ୱାରା ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଦେଶର ୬ଟି ଏମ୍ସ ପାଇଁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବଜେଟର ବ୍ୟବସ୍ଥା କରାଯାଇଛି। ୨୦୧୨-୧୩ରେ ୬ଟି ଏମ୍ସ ପାଇଁ ୯୮୯ କୋଟି ଟଙ୍କାର ବଜେଟ ଥିବାବେଳେ ୨୦୧୭-୧୮ ରେ ଏହା ବୃଦ୍ଧି ପାଇ ୩୯୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୬ଟି ଏମ୍ସର ସମ୍ପୂର୍ଣ୍ଣ ଭିତ୍ତିଭୂମି, ଆବଶ୍ୟକୀୟ ସେବାର ଅଭାବ ତଥା ବହୁସଂଖ୍ୟାରେ ପଦବୀ ଖାଲି ରହିବା ଚିକିତ୍ସା କ୍ଷେତ୍ରରେ ଏମ୍ସ ଗୁଡ଼ିକର ପ୍ରତିବନ୍ଧକ ସୃଷ୍ଟି ହେଉଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର