ବାବ୍ରି ମସଜିଦ ସ୍ଥାନାନ୍ତରଣର ପ୍ରଶ୍ନ ଉଠନାହିଁ : ମୁସଲିମ ପର୍ସନାଲ ଲ’ ବୋର୍ଡ

ନଦଭୀ ବୋର୍ଡରୁ ବହିଷ୍କାର

ନୂଆଦିଲ୍ଲୀ: ବାବ୍ରି ମସଜିଦକୁ ବିବାଦୀୟ ସ୍ଥାନରୁ ଆଉ ଏକ ସ୍ଥାନକୁ ହଟାଇନେବାକୁ ପ୍ରସ୍ତାବ ଦେଇଥିବା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡର କାର୍ଯ୍ୟନିର୍ବାହୀ ସଦସ୍ୟ ସଲମାନ ନଦଭୀଙ୍କୁ ବୋର୍ଡରୁ ବହିଷ୍କାର କରାଯାଇଛି । ବାବ୍ରି ମସଜିଦ୍‌ ପ୍ରସଙ୍ଗରେ ବୋର୍ଡର ସର୍ବସମ୍ମତ ମତ ବିରୋଧରେ ଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଜଣାଯାଇଛି ।

ଉକ୍ତ ବିବାଦୀୟ ସ୍ଥାନରେ ଏକ ମସଜିଦ ବନାଇବାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ନିଜ ସର୍ବସମ୍ମତ ମତରେ କାଏମ ରହିଛି । ଉକ୍ତ ସ୍ଥାନରୁ ମସଜିଦ ଅନ୍ୟସ୍ଥାନକୁ ହଟାଯାଇପାରିବ ନାହିଁ, ଜମି ବିକ୍ରି କରାଯାଇପାରିବ ନାହିଁ ବା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ବୋର୍ଡ କହିଛି । କିନ୍ତୁ ଏକ ବିକଳ୍ପ ସ୍ଥାନରେ ମସଜିଦ ନିର୍ମାଣ କରାଯାଇପାରିବ ବୋଲି ନଦଭୀ ମତ ଦେଇ ବୋର୍ଡ ବିରୋଧରେ ଯାଇଛନ୍ତି ।
ଗତ କାଲି ହାଇଦ୍ରାବାଦଠାରେ ଅନୁଷ୍ଠିତ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡର ସମ୍ମିଳନୀରେ ନଦଭୀ ବିବାଦୀୟ ସ୍ଥାନ ବଦଳରେ ଆଉ ଏକ ସ୍ଥାନରେ ମସଜିଦ ନିର୍ମାଣ ଓ ଏକ ଇସ୍ଲାମିକ୍‌ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ଅଯୋଧ୍ୟା ପରେ ଆଉ କୌଣସ ସ୍ଥାନରେ ଥିବା ମସଜିଦ ଭାଙ୍ଗିବାକୁ ହିନ୍ଦୁମାନେ ଦାବି କରିବେ ନାହିଁ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଆହୁରି ମଧ୍ୟ ହିନ୍ଦୁ ଓ ମୁସଲିମ ନେତାମାନେ ଏକାଠି ହୋଇ ଏହି ବିବାଦର ଏକ କୋର୍ଟ ବାହାର ସମାଧାନ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।

ସମ୍ବନ୍ଧିତ ଖବର