ଅବସର ନେଲା ଭାରତର ଲଢୁଆ ଯୁଦ୍ଧ ବିମାନ ମିଗ୍‌-୨୭ ଏମଏଲ୍‌

ନୂଆଦିଲ୍ଲୀ: ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ପ୍ରତିରକ୍ଷା ବାହିନୀରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ ପରେ ନିକଟରେ ସେବାନିବୃତ ହୋଇଛି ମିଗ୍‌-୨୭ ଏମଏଲ୍‌ । ଗତ ଗୁରୁବାରଦିନ ପଶ୍ଚିମବଙ୍ଗରେ ଥିବା ହାସିମାରା ଏୟାରଫୋର୍ସ ବେସ୍‌ରେ ଏହି ଲଢୁଆ ବିମାନ ଶେଷଥର ପାଇଁ ଉଡାଣ ଭରିଥିଲା ।

ବାହାଦୂର ନାମରେ ପରିଚିତ ଋଷ ନିର୍ମିତ ଏହି ମିଗ୍‌-୨୭ ଏମଏଲ୍‌ ଗତ ଅଶୀ ଦଶକରେ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହା ଭାରତର ଏକ ଆଗଧାଡ଼ିର ଲଢୁଆ ବିମାନର ମାନ୍ୟତା ପାଇଥିଲା ଓ କାରଗିଲ ଯୁଦ୍ଧ ଠାରୁ ଆରମ୍ଭ କରି ଅନେକ ଅପରେସନରେ ଲଢୁଆ ପ୍ରଦର୍ଶନ କରିଥିଲା ।

ଭାରତୀୟ ସେନାରୁ ଅବସର ନେଇଥିଲେ ମଧ୍ୟ ଆଜି ବିଶ୍ୱର ଆଉ କେତେକ ଦେଶର ବାୟୁସେନାରେ ଏହା ସାମିଲ ରହିଛି । ଏଥିରୁ ଲେଜର ଗାଇଡେଡ୍‌ ବୋମା, କ୍ଷେପଣାସ୍ତ୍ର ଆଦି ନିକ୍ଷେପ କରିହେବ । କାରଗିଲ ଯୁଦ୍ଧରେ ଏହି ବିମାନରୁ ପକାଯାଇଥିବା ଲେଜର ଗାଇଡେଡ୍‌ ବୋମା ସବୁ ପାକିସ୍ତାନ ସେନାର ଅଣ୍ଟା ଭାଙ୍ଗିଦେଇଥିଲା । ଏଥିରୁ ପକାଯାଇଥିବା ବୋମାଗୁଡିକ ଅତି ସଠିକତାର ସହ ପାକ୍‌ ବଙ୍କର ଗୁଡିକୁ ମାଡ କରି ଧ୍ୱଂସ କରିଦେଇଥିଲା । ଫଳରେ ପାକ୍‌ ସେନା ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା । ଭାରତ ଭାଗ ନେଇଥିବା ଅନେକ ଅନ୍ତର୍ଜାତୀୟ ଅପରେସନରେ ମଧ୍ୟ ଏହି ବିମାନ ଭାଗ ନେଇଥିଲା ।

ସମ୍ବନ୍ଧିତ ଖବର