କୁନାଲ କାମ୍ରା ନାଁ ଦେଖିବା ପରେ ଟିକେଟ ରଦ୍ଦ କଲା ଏୟାର ଇଣ୍ଡିଆ, କିନ୍ତୁ ପରେ…

ନୂଆଦିଲ୍ଲୀ: କିଛି ଦିନ ତଳେ ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍ରାଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଜଣେ ବରିଷ୍ଠ ସାମ୍ବ‌ାଦିକ ତଥା ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅପଶବ୍ଦ କହିବା ଓ ଧମକଚମକ ଦେବା ପରେ ତାଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କୁନାଲଙ୍କ ଏହି କାର୍ଯ୍ୟକୁ ବେଶ ଗୁରୁତ୍ୱର ସହ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ସେ କୌଣସି ବିମାନରେ ଯାତ୍ରା କରିପାରୁ ନଥିବା ବେଳେ ନାଁ ସମାନ ଥିବାରୁ ଏହି କାରଣ ପାଇଁ ଆଉ ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡ଼ିଥିବା ଜଣା ପଡ଼ିଛି।

ଆମେରିକାର ବୋଷ୍ଟନ ସହରରେ ରହୁଥିବା ଯୁବକଙ୍କ ନାଁ କୁନାଲ କାମ୍ରା ହୋଇଥିବାରୁ ତାଙ୍କର ଏୟାର ଇଣ୍ଡିଆ ଟିକେଟ ରଦ୍ଦ ହୋଇଯାଇଥିବା ସାମ୍ନାକୁ ଆସିଛି। ଫେବ୍ରୁଆରି ୩ରେ ସେ ଜୟପୁରରୁ ମୁମ୍ବାଇକୁ ଯିବା ପାଇଁ ଟିକେଟ୍ ବୁକ୍ କରିଥିବା ବେଳେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଟିକେଟକୁ ରଦ୍ଦ କରିଦିଆଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଏୟାର ଇଣ୍ଡିଆର ଅଧିକାରୀଙ୍କୁ ନିଜର ପ୍ରମାଣପତ୍ର ଦେଖାଇବାରୁ  ତାଙ୍କୁ ଟିକେଟ୍ ଦିଆଯିବା ସହ ବିମାନ ମଧ୍ୟକୁ ଯିବା ପାଇଁ ଅନୁମତି ମିଳିଥିଲା।

Image result for air-india-cancels-other-kunal-kamra-boston-man-flight-because-of-his-name
India Today

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି କି, ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମ୍ରାଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ତାଙ୍କ ନାଁ ସହ ଅନ୍ୟ ସୂଚନା ସବୁ ସିଷ୍ଟମରେ ରଖାଯାଇଛି। ଯେତେବେଳେ ବୋଷ୍ଟନରେ ରହୁଥିବା କୁନାଲ କାମ୍ରା ଟିକେଟ ବୁକ୍ କରିଥିଲେ, ସେତେବେଳେ ଏହି ନ‌ାଁ ଉପରେ ପ୍ରତିବନ୍ଧକ ଲାଗିଥିବା ହେତୁ ଟିକେଟଟି ରଦ୍ଦ ହୋଇଯାଇଥିଲା। କିନ୍ତୁ ପରେ ସବୁ ପ୍ରମାଣପତ୍ର ମିଳିବାରୁ ଆମେ ତାଙ୍କୁ ଟିକେଟ ଦେବା ସହ ବିମାନରେ ଯିବାକୁ ଦେଇଥିଲୁ।

ସୂଚନା ମୁତାବକ, ଜାନୁଆରି ୨୮ରେ ଅର୍ଣ୍ଣବ ଗୋସ୍ୱାମୀ ଇଣ୍ଡିଗୋ ଫ୍ଲାଇଟରେ ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବାବେଳେ କୁନାଲ ତାଙ୍କ ସିଟ ନିକଟକୁ ଆସି ତାଙ୍କୁ ଦୁର୍ବ୍ୟବହାର ଓ ଧମକଚମକ ଦେଇଥିଲେ । ଏହା ସତ୍ତ୍ୱେ ଅର୍ଣ୍ଣବ ବେଶ ଶାନ୍ତ ରହିବା ସହ ତାହାର କୌଣସି ଜବାବ ଦେଇ ନଥିଲେ । ତେବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବାପରେ ଇଣ୍ଡିଗୋ ଏବଂ ଅନ୍ୟ ବିମାନସେବା କମ୍ପାନିମାନେ କୁନାଲଙ୍କ ବିମାନ ଯାତ୍ରା ଊପରେ ନିଷେଧାଜ୍ଞା ଲଗାଇଛନ୍ତି।

ସମ୍ବନ୍ଧିତ ଖବର